ସଫଳତାର ଶୀର୍ଷରେ ପହଞ୍ଚିବ ଇସ୍ରୋ, ଶୁକ୍ର ମିଶନ ପାଇଁ ଅଣ୍ଟା ଭିଡ଼ିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର

ନୂଆଦିଲ୍ଲୀ: ସଫଳତାର ଶୀର୍ଷରେ ପହଞ୍ଚିବ ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା ଇସ୍ରୋ । ଚନ୍ଦ୍ର ଏବଂ ମଙ୍ଗଳ ମିଶନର ସଫଳତା ପରେ ଶୁକ୍ର ମିଶନ ପାଇଁ ଅଣ୍ଟା ଭିଡ଼ିଛି ଇସ୍ରୋ । ଶୁକ୍ର ଗ୍ରହର କକ୍ଷପଥକୁ ଅନ୍ତରୀକ୍ଷ ଯାନ ପଠାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଶୁକ୍ର ଗ୍ରହର ଜଳବାୟୁ ବିଷୟରେ ଅଧ୍ୟୟନ କରିବା ଏହି ମିଶନର ଉଦ୍ଦେଶ୍ୟ । ସୌର ମଣ୍ଡଳର ସବୁଠୁ ଗରମ ରହୁଥିବା ଗ୍ରହର ଭୂପୃଷ୍ଠ ତଳେ କ’ଣ ରହିଛି ଏବଂ ସଲଫ୍ୟୁରିକ ଏସିଡର ବାଦଲ ତଳର ରହସ୍ୟ ବିଷୟରେ ଜାଣିବା ପାଇଁ ଇସ୍ରୋ ଅଣ୍ଟା ଭିଡ଼ିଛି । ଭେନସ ବିଜ୍ଞାନ ଉପରେ ଦିନିକିଆ  ବୈଠକକୁ ସମ୍ଵୋଧିତ କରି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି, ଶୁକ୍ର ମିଶନ ଉପରେ କଳ୍ପନା କରାଯାଇଛି ।

ଏହା ଉପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ଏବଂ କେତେ ଖର୍ଚ୍ଚ ହେବ ବଜେଟ୍ ଆକଳନ କରାଯାଇଛି । ଶୁକ୍ର ଉପରେ ମିଶନ ଏବଂ ଏହାକୁ ସ୍ଥାପିତ କରିବା ଭାରତ ପକ୍ଷେ ସମ୍ଭବ, କାରଣ ବର୍ତ୍ତମାନ ଭାରତ ନିକଟରେ ସେହି କ୍ଷମତା ରହିଛି । ୨୦୨୪ ଡିସେମ୍ବରରେ ଭାରତ ଏହି ମିଶନ କାର୍ଯ୍ୟକାରୀ କରିବାକୁ ଯୋଜନା ରଖିଛି । ଆମେରିକା ସହିତ ଅନେକ ଦେଶ ଶୁକ୍ରକୁ ଅନ୍ତରୀକ୍ଷ ଯାନ ପଠାଇବାକୁ ଯୋଜନା କରୁଛନ୍ତି । ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ଏହି ଉତ୍ତପ୍ତ ଗ୍ରହର ସ୍ଥିତି କେମିତି ରହିଛି । ବିଶେଷଜ୍ଞ ଦାବି କରୁଛନ୍ତି ଯେ ଶୁକ୍ର ଦିନେ ପୃଥିବୀ ପରି ଥିଲା । ଜଳବାୟୁ ପରିବର୍ତ୍ତନ କାରଣରୁ ଶୁକ୍ରର ସ୍ଥିତି ଏମିତି ହୋଇଥିବା କୁହାଯାଉଛି  ।