ମହାକାଶରେ ପୁଣି ଏକ ଇତିହାସ ଲେଖିବ ଇସ୍ରୋ, ପ୍ରଥମ ଥର ଲାଗି କରାଯିବ ଜୈବିକ ଗବେଷଣା

1 min read

ନୂଆଦିଲ୍ଲୀ: ପୁଣି ମହାକାଶରେ ନିଜର ଶକ୍ତି ଓ ସାମର୍ଥ ଦେଖାଇବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସିଂସ୍ଥା ଇସ୍ରୋ । ନିଜର ସ୍ବଦେଶୀ ରକେଟ ଜରିଆରେ ପ୍ରଥମ ଥର ଲାଗି ମହାକାଶରେ ଇସ୍ରୋ କରିବାକୁ ଯାଉଛି ଜୈବିକ ଗବେଷଣା । ପୋଲାର ସାଟେଲାଇଟ ଲଞ୍ଚ ଭେହିକଲ (ପିଏସଏଲଭି) ଦ୍ବାରା ଏହାକୁ ଲଞ୍ଚ କରାଯାଇ ଜୈବିକ କୋଷର ତିନି ପ୍ରକାର ଗବେଷଣା କରାଯିବ ।

ଇସ୍ରୋ ସ୍ପିନାକ, କାଓପି ଓ ଗଟ୍ ବ୍ଯାକ୍ଟେରିଆର ଜୈବିକ ସାମଗ୍ରୀକୁ ମହାକାଶକୁ ପଠାଇବାକୁ ଯୋଜନା କରୁଛି । ପିଏସଏଲଭି ଅର୍ବିଟାଲ ଏକ୍ସପେରିମେଣ୍ଟାଲ ମଡ୍ଯୁଲ-୪ ବା ପୋଏମ-୪ ଜରିଆରେ ଏସବୁକୁ ପଠାଯିବ । ଏକ କ୍ଷୁଦ୍ର ସିଲଯୁକ୍ତ ପେଟିରେ ସମସ୍ତ ପ୍ରକାର ଲାଇଫ ସପୋର୍ଟ ସିଷ୍ଟମ ରଖାଯାଇ ସେଗୁଡିକୁ ପଠାଯିବ । ମହାକାଶରେ ଜୀବନ ଧାରଣ ସମ୍ପର୍କରେ ଗବେଷଣା କରାଯିବା ଏହାର ଲକ୍ଷ୍ଯ ରହିଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ଯକ୍ଷ ଡକ୍ଟର ଏସ. ସୋମନାଥ ।

ଏହି ମିଶନ ପରେ ସି-୬୦ ନାମକ ଆଉ ଏକ ମିଶନ ଇସ୍ରୋ କରିବ । ମହାକାଶରେ କିପରି ଜୀବନ ବଞ୍ଚି ପାରିବ ସେ ସମ୍ପର୍କରେ ଜୈବିକ ଗବେଷଣା ଲାଗି ଇସ୍ରୋ ଏହି ଯୋଜନା କରୁଛି । ପରବର୍ତ୍ତୀ ଗଗନଯାନ ମିଶନରେ ଜଣେ ଭାରତୀୟଙ୍କୁ ମହାକାଶକୁ ପଠାଇବା ଲାଗି ଇସ୍ରୋ ଯେଉଁ ଯୋଜନା କରୁଛି ସେଦିଗରେ ଏହି ଅଭିଯାନ ସହାୟକ ହେବ । ଏହାସହ ୨୦୩୫ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପ୍ରତିଷ୍ଠା ନେଇ ବି ଇସ୍ରୋର ଗବେଷଣା ଜାରି ରହିଛି । ଜିରୋ ଗ୍ରାଭିଟିରେ ସ୍ପିନାକ ପରି ତୃଣର କୋଷଗୁଡିକ କିପରି କାର୍ଯ୍ୟ କରୁଛନ୍ତି ତାହା ଏହି ଗବେଷଣାରୁ ଜଣାପଡିବ ବୋଲି ଆମିତି ବିଶ୍ବବିଦ୍ୟାଳୟର ଗବେଷକ ତଥା କୁଳପତି ଡକ୍ଟର ଏ.ଡବ୍ଲୁ ସନ୍ତୋଷ କୁମାର କହିଛନ୍ତି ।

ଇସ୍ରୋ ଜରିଆରେ କକ୍ଷ ପଥରେ ବାୟୋଲୋଜିକାଲ ପେଲୋଡ ପଠାଯିବ, ଯଦ୍ଦ୍ବାରା ସ୍ପେସ ମିଶନରେ ଖାଦ୍ଯ ଓ ପୁଷ୍ଟି ସମ୍ପର୍କରେ ବି ଗବେଷଣା କରାଯାଇ ପାରିବ । ଡକ୍ଟର ସନ୍ତୋଷ କୁମାର ପୂର୍ବରୁ ଆମେରିକାରେ କାର୍ଯ୍ୟରତ ଥିଲେ । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ମଣିଷର ବିଭିନ୍ନ ଜୀବକୋଷ ପଠାଇବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେହିପରି ଏହି ଅଭିଯାନରେ ଗଟ୍ ବ୍ଯାକ୍ଟେରିଅମ ବ୍ଯାକ୍ଟେରୋଇଡ୍ସ ଥେଟାଟୋମାଇକ୍ରୋନକୁ ମହାକାଶକୁ ପଠାଯିବ । ଏହା ଜରିଆରେ ମହାକାଶରେ ମଣିଷର ବିଭିନ୍ନ ଶରୀରଗତ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ଯ ମିଳିପାରିବ ।

ନଜର ପକାନ୍ତୁ