ଦୁଇବର୍ଷ ପରେ ପୁଣି ଥରେ ଚନ୍ଦ୍ର ଅଭିମୁଖେ ଭାରତ

1 min read

ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ପୁଣି ଥରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଭାରତ । ଖୁବଶୀଘ୍ର ଚନ୍ଦ୍ରାୟନ -୩ ଲଞ୍ଚ କରିବ ଭାରତୀୟ ସ୍ପେସ୍ ଆଣ୍ଡ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) । ଚନ୍ଦ୍ରାୟନ-୨ ମିଶନ ବେଳେ ଲ୍ୟାଣ୍ଡର ବିକ୍ରମ ଲୁନାର ସରଫେସରେ କ୍ରାସ୍‌ ହୋଇଯାଇଥିଲା । ଯାହା ଫଳରେ ଚନ୍ଦ୍ରାୟନ-୨ ମିଶନ ସଫଳତା ପାଇ ପାରିନଥିଲା । ମାତ୍ର ଚନ୍ଦ୍ରାୟନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି । ତେବେ ଚନ୍ଦ୍ରାୟନ-୨ ମିଶନରୁ ମିଳିଥିବା ଶିକ୍ଷା ଓ ବିଶ୍ବସ୍ତରୀୟ ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାର କରି ଚନ୍ଦ୍ରାୟନ-୩ର ପରୀକ୍ଷଣ ଚାଲିଛି ବୋଲି ଇସ୍ରୋ ବୈଜ୍ଞାନିକ କହିଛନ୍ତି ।

ଚନ୍ଦ୍ରାୟନ-୩ ଲଞ୍ଚ ପୂର୍ବରୁ ଏହାର ଆବଶ୍ୟକ ପରୀକ୍ଷା ଶେଷ ହୋଇଛି । ଚନ୍ଦ୍ରାୟନ-୩ ୨୦୨୨ ଅଗଷ୍ଟରେ ଲଞ୍ଚ ହେବା ଯୋଜନା ରହିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । କରୋନା ଯୋଗୁ ଇସ୍ରୋର ଅନେକ ମିଶନ ପ୍ରଭାବିତ ହୋଇଛି ବୋଲି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି । ଡକ୍ଟର ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ଯେ କ୍ରମାଗତ ବିଳମ୍ବ ପରେ ୨୦୨୨ ମସିହାରେ ମହାକାଶ ବିଭାଗ ପକ୍ଷରୁ ୧୯ଟି ମିଶନ ଆରମ୍ଭ କରିବାକୁ ଯୋଜନା କରିଛି । ୨୦୨୨ରେ ଇସ୍ରୋ ୮ଟି ଲଞ୍ଚ ଯାନ ମିଶନ, ୭ଟି ମହାକାଶଯାନ ମିଶନ ଏବଂ ୪ଟି ଟେକ୍ନୋଲୋଜି ପ୍ରଦର୍ଶନକାରୀ ମିଶନ ଆରମ୍ଭ କରିବାକୁ ଯୋଜନା ରହିଛି ବୋଲି କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ।

Leave a Reply