ଜାଣନ୍ତୁ ଇସ୍ରାଏଲ ସମର୍ଥନରେ ରହିଛନ୍ତି କେଉଁ ଶକ୍ତିଶାଳି ଦେଶ

1 min read

ନନ୍ଦିଘୋଷ ବ୍ୟୁରୋ: ହମାସର ବିନାଶକାରୀ ଆକ୍ରମଣ ପରେ ଇସ୍ରାଏଲର କାଉଣ୍ଟର ଆଟାକ୍ । ଯୁଦ୍ଧର ପଞ୍ଚମ ଦିନରେ ଚାରିଆଡେ ଧ୍ବଂସ ଓ ବିଭୀଷିକାର ଚିତ୍ର। ହମାସ ଉପରେ ବୋମା ବର୍ଷଣ କରୁଛନ୍ତି ବାୟୁସେନାର ଲଢୁଆ ବିମାନ । ଏୟାର ଷ୍ଟ୍ରାଇକରେ ଧ୍ବଂସସ୍ତୁପ ପାଲଟିଛି ଗାଜା। ଏସବୁ ମଧ୍ୟରେ ହମାସ ଉପରେ ସ୍ଥଳସେନାର ହମଲା କରିବା ଆଶଂକା କରାଯାଉଛି । ସଂଘର୍ଷରେ ଦୁଇ ଦେଶର ୩ ହଜାରରୁ ଅଧି୍କ ଲୋକଙ୍କ ମୃତ୍ୟୁ ହେଲାଣି, ୨ ଲକ୍ଷରୁ ଅଧିକ ପାଲେଷ୍ଟାଇନ ନାଗରିକ ଘର ଛାଡିଲେଣି` ।

ଇସ୍ରାଏଲର ଟାର୍ଗେଟ, ହମାସର ମୂଳପୋଛ କରିଦେବ । ଏଥିଲାଗି ଜୋରଦାର ପ୍ରସ୍ତୁତି କରିଛି । ସାରା ବିଶ୍ବର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ସମୂହ ଇସ୍ରାଏଲ ସମର୍ଥନରେ ରହିଛନ୍ତି। ସୁପର ପାୱାର ଆମେରିକା ଇସ୍ରାଏଲକୁ ଆତଙ୍କବାଦ ବିରୋଧ ଲଢେଇରେ ସହଯୋଗ କରିବାକୁ ଯୁଦ୍ଧ ବିମାନ ପଠାଇଛି। ଦକ୍ଷିଣ ଭୂମଧ୍ୟସାଗରୀୟ ଅଂଚଳରେ ଆମେରିକାର ଏୟାରକ୍ରାଫ୍ଟ କ୍ୟାରିଅର ଆସି ପଇଁତରା ମାରୁଛି ।

ଏଫ-୧୫, ଏଫ-୧୬ ଏବଂ ଏ-୧୦ ଭଳି ଲଢୁଆ ବିମାନ ଏଥିରେ ମୂତୟନ ହୋଇଛନ୍ତି । ଏସବୁ ଭିତରେ ହମାସ ଉପରେ ପରମାଣୁ ବୋମା ପ୍ରୟୋଗ କରିବାକୁ ଦାବି କରିଛନ୍ତି ଇସ୍ରାଏଲର ସାଂସଦ ଟାଲି ଗୋଟଲିବ୍। ଏଥିରୁ ଜଣାପଡୁଛି ଖୁବଶୀଘ୍ର ଇସ୍ରାଏଲ ଗାଜାର ସ୍ଥଳ ଭାଗରେ ଆକ୍ରମଣ କରିପାରେ ।ଯଦି ଇସ୍ରାଏଲ ପରମାଣୁ ଆକ୍ରମଣ  କଲେ ତେବେ ଜେରିକୋ ମିସାଇଲର ବ୍ୟବହାର କରିବ । ଜେରିକୋ ଇସ୍ରାଏଲର ଏକ ଘାତକ ମିସାଇଲ । ୫ଶହ କିଲୋମିଟର ମଧ୍ୟରେ ୪ କିଲୋଗ୍ରାମର ପେଲୋଡ୍ ଧରି ଏହି ମିସାଇଲ ଧ୍ବଂସଳୀଳା ଖେଳାଇବାର କ୍ଷମତା ରଖୁଛି ।

ଇସ୍ରାଏଲ ସେନାର ପ୍ରତିଆକ୍ରମଣରେ ପ୍ରାୟ ୨ ହଜାରରୁ ଅଧିକ ଆତଙ୍କୀ ନିପାତ ହେଲେଣି । ଏବେବି ପ୍ରତି ଇସ୍ରାଏଲର ବାୟୁସେନା ହମାସ ଆତଙ୍କୀଙ୍କୁ ଟାର୍ଗେଟ କରୁଛନ୍ତି । ଗାଜାରେ ୯ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୩୦ ଶିଶୁ ରହିଥିବାବେଳେ ୨୬୦ ମହିଳା । ଗତକାଲି ରାତିରେ ୨ଶହରୁ ଅଧିକ ଆତଙ୍କୀ ଶିବିରକୁ ଟାର୍ଗେଟ କରିଥିଲା ଇସ୍ରାଏଲ ବାୟୁସେନା । ଏହାସହ ହମାସ ଆତଙ୍କୀ  ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ସାମରିକ ମୁଖ୍ୟ ମହମ୍ମଦ ଡାଏଫଙ୍କ ଘର ଉପରେ ହମଲା ହୋଇଥିଲା।

୨୦ ଲକ୍ଷରୁ ଅଧିକ ଜନବସତି ଥିବା ପାଲେଷ୍ଟାଇନର ଚିତ୍ର ବଦଳି ଯାଇଛି । ଗାଜାରେ ସଂକଟ ବଢିବାରେ ଲାଗିଛି। ଖାଦ୍ୟ, ପାଣି, ଔଷଧ ଏବଂ ଇନ୍ଧନ ଯାୋଗାଣ ସବୁକିଛି ବନ୍ଦ କରି ଦେଇଛି ଇସ୍ରାଏଲ।  ଗାଜାରେ ନାଗରିକଙ୍କ ସ୍ଥିତି ବିଗିଡିବାକୁ ଥିବାବେଳେ ସେମାନଙ୍କୁ ସହାୟତା ପଠାଇବାକୁ ଦାବି କରିଛନ୍ତି ଅନେକ ମାନବାଧିକାର ସଂଗଠନ  ।

ଯୁଦ୍ଧର ଘମାଘୋଟ ଲଢେଇ ମଧ୍ୟରେ ଇସ୍ରାଏଲ ଓ ପାଲେଷ୍ଟାଇନରୁ ଭାରତୀୟଙ୍କୁ ଉଦ୍ଧାର ଲାଗି ସତର୍କତା ଜାରି କରିଛି ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ । ବୈଦେଶିକ ବ୍ୟାପାର ବିଭାଗରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଯାଇଛି । ସୂଚନା ପାଇବା ମାତ୍ରେ କଣ୍ଟ୍ରୋଲ ରୁମ ସହ ସମ୍ପର୍କ କରିବାକୁ ଭାରତୀୟ ନାଗରିକଙ୍କୁ ଆଲର୍ଟ କାରାଯାଇଛି ।