ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ନନ୍ଦିଘୋଷ ବ୍ୟୁରୋ: ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ପ୍ରୋଷ୍ଟେଟ ସର୍ଜରୀ କରାଯାଇଛି । ଅସୁସ୍ଥତା ସମୟରେ ନେତାନ୍ୟାହୁ ଡାକ୍ତରଖାନାରେ ଥିବାବେଳେ ତାଙ୍କ ଘନିଷ୍ଠ ସହଯୋଗୀ ୟାରିଭ ଲେଭିନ୍, ଯିଏକି ତାଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ମଧ୍ୟ କାର୍ଯ୍ୟ କରୁଛନ୍ତି ସେ କାମଚଳା ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିବେ । ଇସ୍ରାଏଲର ସରକାରୀ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଗତ ବୁଧବାର ନେତାନ୍ୟାହୁ ମୂତ୍ରନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

୭୫ବର୍ଷୀୟ ନେତାନ୍ୟାହୁ ନିକଟ ଅତୀତରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କ ନିକଟବର୍ତ୍ତୀ ଲୋକମାନେ ଜେରୁଜେଲମ୍ ପୋଷ୍ଟକୁ କହିଛନ୍ତି ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିବାରୁ କ୍ରମାଗତ ଭାବରେ ଯୁଦ୍ଧରେ ଜଡିତ ଥିଲେ । ସେ ଅନେକ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଇନଥିଲେ । ଅସ୍ତ୍ରୋପଚାର ପୂର୍ବରୁ ତାଙ୍କ ଓକିଲ ଅମିତ ହାଦ୍ଦ କୋର୍ଟଙ୍କୁ ତାଙ୍କ ଅସ୍ତ୍ରୋପ୍ରଚାର ବାବଦରେ ଜଣାଇବା ସହିତ ତାଙ୍କୁ ଅନେକ ଦିନ ଡାକ୍ତରଖାନାରେ ରହିବାକୁ ପଡିବ, ଯାହାଫଳରେ ତାଙ୍କୁ ସାକ୍ଷ୍ୟ ଦେବାକୁ ଆସିବାକୁ ବାଧ୍ୟ କରାଯିବ ନାହିଁ ବୋଲି ଅନୁମତି ମାଗିଥିଲେ। ତେବେ ପରବର୍ତ୍ତୀ କାଳରେ କୋର୍ଟ ଏହାକୁ ଅନୁମୋଦନ କରିଛନ୍ତି ।

ଏହା ପୂର୍ବରୁ ମାର୍ଚ୍ଚ ମାସରେ ନେତାନ୍ୟାହୁଙ୍କ ହାର୍ନିଆ ଅସ୍ତ୍ରୋପଚାର କରାଯାଇଥିଲା । ଏହି ସମୟ ମଧ୍ୟରେ ଇସ୍ରାଏଲର ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ୟାରିଭ ଲେଭିନ୍ ଅସ୍ଥାୟୀ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ ସମ୍ଭାଳିଥିଲେ । ଜୁଲାଇ ୨୦୨୩ରେ ନେତାନ୍ୟାହୁ ଡିହାଇଡ୍ରେସନର ଶିକାର ହେବାର ଏକ ସପ୍ତାହ ପରେ ଏରିଥମିଆରେ ପୀଡିତ ହେବା ପରେ ପେସମେକର୍ ଲଗେଇବାକୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ  । ଏହି ଘଟଣା ପରେ ଇସ୍ରାଏଲର ଅନେକ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ହୋଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରୀ ରିପୋର୍ଟ ପ୍ରକାଶ ପାଇଥିଲା ।

ପ୍ରୋଟୋକଲରେ ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ସ୍ବାସ୍ଥ୍ୟ ରିପୋର୍ଟ ପ୍ରଦାନ କରିବାର ନିୟମ ଥିଲେ ମଧ୍ୟ ନେତାନ୍ୟାହୁ ୨୦୧୬ ରୁ ୨୦୨୩ ମଧ୍ୟରେ ଗୋଟିଏ ବି ରିପୋର୍ଟ ପ୍ରଦାନ କରିନାହାଁନ୍ତି। ଆଇନଗତ ଭାବରେ ଏହା ବାଧ୍ୟତାମୂଳକ ନୁହେଁ  । କାରଣ ପିଏମଓ ଦ୍ବାରା ବିକଶିତ ନିୟମରେ ଏହି ଆଇନ ଅନ୍ତର୍ଭୁକ୍ତ ନୁହେଁ । ୭ ଅକ୍ଟୋବର ୨୦୨୩ରେ ହମାସ୍ର ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ ଅନେକ ଦିଗରୁ ବିବାଦରେ ଫସିରହିଛି  । ଗାଜାରେ ପାଲେଷ୍ଟାଇନ ଗୋଷ୍ଠୀ ଏବଂ ଲେବାନନରେ ହିଜବୁଲ ଲଢେଇ ଜାରୀ ରହିଛି ।