ଇସ୍ରାଏଲ-ହମାସ ଯୁଦ୍ଧ: ୫୦ ଦିନର ବନ୍ଦୀ ଜୀବନ ପରେ ମୁକ୍ତିର ଆନନ୍ଦ

1 min read

ନୂଆଦିଲ୍ଲୀ: ବନ୍ଦୀ ଜୀବନରୁ ମୁକ୍ତିର ଆନନ୍ଦ । ଦୀର୍ଘ ୫୦ ଦିନ ଧରି ବନ୍ଦୀ ଭାବେ ଜୀବନ କାଟିବା ପରେ ଖୋଲା ଆକାଶରେ ବିଚରଣ କରିଛନ୍ତି ଇସ୍ରାଏଲ ପଣବନ୍ଦୀ । ମୁକ୍ତ ହୋଇଥିବା ପଣବନ୍ଦୀ ସେମାନଙ୍କ ପରିବାର ଲୋକଙ୍କୁ ଯାଇ ଭେଟିଛନ୍ତି । ପୁଅ ବାପାକୁ ଭେଟି କୋଳେଇ ପକାଉଛି । ନିଜ ପରିବାର ଲୋକଙ୍କୁ ଭେଟିଛନ୍ତି ଅନେକ ପଣବନ୍ଦୀ । ନିଜ ପରିବାର ଲୋକଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ମୁକ୍ତ ହୋଇଥିବା ଅନେକ ପଣବନ୍ଦୀ ।

ହମାସ-ଇସ୍ରାଏଲ ଯୁଦ୍ଧ ବିରାମର ଆଜି ତୃତୀୟ ଦିନ । ଆଜି ଛାଡିବାକୁ ଥିବା ପଣବନ୍ଦୀଙ୍କ ତାଲିକା ଇସ୍ରାଏଲକୁ ଦେଇଛି ହମାସ । ଗତକାଲି ଦ୍ବିତୀୟ ପର୍ଯ୍ୟାୟରେ ୧୭ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା ହମାସ । ମୁକ୍ତ ହୋଇଥିବା ପଣବନ୍ଦୀଙ୍କ ମଧ୍ୟରେ ଇସ୍ରାଏଲର ୧୩ ଏବଂ ଥାଇଲାଣ୍ଡର ୪ ପଣବନ୍ଦୀ ରହିଛନ୍ତି । ଅନ୍ତର୍ଜାତୀୟ ରେଡକ୍ରସ ସଂସ୍ଥାକୁ ଏହି ପଣବନ୍ଦୀଙ୍କୁ ହସ୍ତାନ୍ତର କରିଛି ହମାସ । ଏହାପରେ ସମସ୍ତେ ଇସ୍ରାଏଲକୁ ଫେରିଛନ୍ତି । ଇଜିପ୍ଟର କରିମ ସାଲମ କ୍ରସିଂ ଦେଇ ସମସ୍ତେ ମୁକ୍ତ ହୋଇଛନ୍ତି ।

ସେପଟେ ହମାସ ଦେଇଥିବା ତାଲିକାକୁ ଯାଞ୍ଚ କରୁଛି ଇସ୍ରାଏଲ । କତାର ମଧ୍ୟସ୍ଥତାରେ ସମସ୍ତ ପଣବନ୍ଦୀଙ୍କୁ ଛାଡୁଛନ୍ତି ହମାସ ଆତଙ୍କବାଦୀ । ମାତ୍ର ୪ ଦିନ ଯୁଦ୍ଧ ବିରତି ପାଇଁ ନିଷ୍ପତ୍ତି ହୋଇଥିବାବେଳେ ହମାସ ୫୦ ପଣବନ୍ଦୀଙ୍କୁ ଛାଡିବ । ପ୍ରତିବଦଳରେ ଇସ୍ରାଏଲ ୧୫୦ ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡିବ । ୪ ଦିନ ପରେ ଆଗକୁ ମଧ୍ୟ ଯୁଦ୍ଧ ବିରତି ଜାରି ରଖିବାକୁ ଉଦ୍ୟମ କରୁଛି କତାର । ହମାସ ରଖିଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ କତାର ପ୍ରୟାସ ଜାରି ରଖିଛି । ଶରଣାର୍ଥୀ ମୁକ୍ତ ପାଇବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କତାରର ପ୍ରିନ୍ସ ଏମିର ଶେଖ ତମିମ ଏବଂ ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନଙ୍କ ସହ କଥା ହୋଇଥିଲେ ।

ସେପଟେ ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଇସ୍ରାଏଲକୁ ସୂଚନା ଦେଉଥିବା ଅଭିଯୋଗରେ ୨ ଇନଫର୍ମରଙ୍କୁ ହମାସ ହତ୍ୟା କରିଥିବା ଜଣାପଡିଛି । ତୁଲକରିମ ଶରଣାର୍ଥୀ ଶିବିରରେ ଏହି ଦୁଇ ଜଣଙ୍କୁ ପାଲେଷ୍ଟାଇନ ଆତଙ୍କବାଦୀ ହତ୍ୟା କରିଛନ୍ତି ।