ଗାଜାର ଟନେଲ ବନ୍ଦ କରିବାକୁ ସ୍ପଞ୍ଜ ବୋମା ବ୍ୟବହାର କରୁଛି ଇସ୍ରାଏଲ

ଗାଜା: ହମାସକୁ ସାବାଡ କରିବା ଲାଗି ଇସ୍ରାଏଲ ବ୍ୟବହାର କରୁଛି ସ୍ପଞ୍ଜ ବୋମା । ଗାଜାରେ ବହୁ ଟନେଲ ଥିବାବେଳେ ଏହା ଜରିଆରେ ଅସ୍ତ୍ରଶସ୍ତ୍ର ଚାଲାଣ ସମେତ ସୈନ୍ୟ ସଂଗ୍ରହ କରାଯାଉଥିବାରୁ ଟନେଲଗୁଡିକୁ ଟାର୍ଗେଟ କରିଛି ଇସ୍ରାଏଲ । ଏଥିଲାଗି ଇସ୍ରାଏଲ ବ୍ୟବହାର କରୁଛି ସ୍ପଞ୍ଜ ବୋମା । ଏହି ସ୍ବତନ୍ତ୍ର ଧରଣର ବୋମା ଏକ ରାସାୟନିକ ଅସ୍ତ୍ର ଏବଂ ପାରମ୍ପରିକ ବିସ୍ଫୋରକଠାରୁ ଅଲଗା ।

ତାହା ଫୁଟେ ନାହିଁ କିନ୍ତୁ ବିସ୍ଫୋରଣ ପରେ ଏହା ଫେଣ ଆକାରରେ ପରିବ୍ୟାପ୍ତ ହୋଇଥାଏ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହା ବିସ୍ଫୋରଣ ପରେ ଫେଣଗୁଡ଼ିକ କଠିନ ଆକାର ଧାରଣ କରିଥାଏ । ବିଶେଷ କରି ଟନେଲଗୁଡିକୁ ଏହା ଜରିଆରେ ବନ୍ଦ କରିଦିଆଯାଇଥାଏ । ସ୍ପଞ୍ଜ ବୋମା ସାହାଯ୍ୟରେ ଗାଜା ମେଟ୍ରୋଗୁଡିକୁ ବନ୍ଦ କରିଦିଆଯାଇଥାଏ । ଫଳରେ ଗୋପନ ସୁଡଙ୍ଗରୁ ଇସ୍ରାଏଲ ଉପରେ ହମାସର ସମ୍ଭାବ୍ୟ ଆକ୍ରମଣକୁ ବନ୍ଦ କରିଦିଆଯାଇଥାଏ ।

ଗାଜା ମେଟ୍ରୋ ହେଉଛି ଶହ ଶହ ମାଇଲବ୍ୟାପୀ ଟନେଲ । ଏହି ଟନେଲଗୁଡିକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାଏ ହମାସ । ଏପରିକି ପଣବନ୍ଦୀଙ୍କୁ ବି ଏହି ଟନେଲରେ ରଖାଯାଇଥିବା ଇସ୍ରାଏଲ ବିଶ୍ବାସ କରୁଛି । ସନ୍ଦିଗ୍ଧ ଟନେଲଗୁଡିକ ଉପରକୁ ସ୍ପଞ୍ଜ ବୋମା ଫୋପଡ଼ାଦିଆଯିବା ପରେ ତାହା କଠିନ ହୋଇଥାଏ । ଫଳରେ ହମାସ ଆତଙ୍କୀମାନେ ଏହି ଟନେଲକୁ ବ୍ୟବହାର କରିବା ସମ୍ଭବ ହୋଇ ନଥାଏ ।