ଲେବାନନ ସୀମାରୁ ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବ ଇସ୍ରାଏଲ

1 min read

ତେଲ ଅଭିଭ: ଲେବାନନର ଉତ୍ତର ସୀମାରେ ଥିବା କିରିୟତ ଶାମୋନାରୁ ଇସ୍ରାଏଲ ୨୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବ। ଗୋଟିଏ ଦିନ ତଳେ କିରୟତ ଶାମୋନା ଓ ଏହାର ଆଖପାଖ ସୀମାନ୍ତ ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଥିଲା । ଦୁଇ ସପ୍ତାହ ତଳେ ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ-ଲେବାନନ ସୀମାରେ ବି ସଂଘର୍ଷ ଚାଲିଛି ।

ଲେବାନନ ପଟୁ ଆତଙ୍କୀ ସଂଗଠନ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରି ଗୋଳା ଓ ରକେଟ୍ ବର୍ଷଣ କରାଯାଉଛି । ଇସ୍ରାଏଲ ନିଜ ସୀମାରେ ଥିବା କେତେକ ଅଞ୍ଚଳକୁ ନିଷିଦ୍ଧ ସାମରିକ ଜୋନ୍ ଭାବେ ଘୋଷଣା କରିସାରିଛି । ଫଳରେ ବାସିନ୍ଦା ମାନେ ସେଠାରୁ ଚାଲିଯିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଲେବାନନ ସୀମାରୁ ସବୁଠାରୁ ଅନେକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି ।

ଲେବାନନ ସେନାର ସୂଚନା ଅନୁଯାୟୀ, କିରିୟତ ଶାମୋନା ସୀମାରେ ଥିବା ଏକ ଅଞ୍ଚଳରେ ଇସ୍ରାଏଲଗୁଳିରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ଏବଂ ଲେବାନନର ଇରାନ ସମର୍ଥିତ ହିଜବୁଲ୍ଲା ଗୋଷ୍ଠୀ ମଧ୍ୟରେ ଏହି ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଛି । ଗାଜା ଇସ୍ରାଏଲ ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଛି । ଯୁଦ୍ଧ ଆରମ୍ଭ ପରଠାରୁ ୫ ହଜାରରୁ ଅଧିକ ଶିବିରକୁ ଟାର୍ଗେଟ କରିଛି ଇସ୍ରାଏଲି ସେନା ।

ଗୁରବାର ଗାଜାରେ ଶହେରୁ ଅଧିକ ସ୍ଥାନରେ ହୋଇଛି ହମଲା। ଗାଜାର ଏକ ଚର୍ଚ୍ଚ ଉପରେ ଇସ୍ରାଏଲ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ଫାଇନାଲ ଆଟାକ୍ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ । ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ନିର୍ଦ୍ଦେଶ ମିଳିବା କ୍ଷଣି ଆରମ୍ଭ ହୋଇଯିବ ଗ୍ରାଉଣ୍ଡ ଅପରେସନ । ଗାଜାରୁ ଆତଙ୍କବାଦର ମୂଳପୋଛ ନେଇ ବ୍ରିଟେନ ଓ ଆମେରିକାର ସମର୍ଥନ ପରେ ଇସ୍ରାଏଲର ମନୋବଳ ଆହୁରି ଦୃଢ ହୋଇଛି। ଇସ୍ରାଏଲ ଆକ୍ରମଣରେ ଏବେଯାଏ ୪ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି, ୧୨ ହଜାରରୁ ଅଧିକ ଆହତ ହୋଇଛନ୍ତି ।