ଗାଜା ସୀମା ମଧ୍ୟକୁ ପଶି ଆତଙ୍କୀ ଶିବିରକୁ ନଷ୍ଟ କରୁଛି ଇସ୍ରାଏଲୀ ଟ୍ୟାଙ୍କ୍

1 min read

ଗାଜା: ଗାଜା-ଇସ୍ରାଏଲ ଯୁଦ୍ଧର ଆଜି ୨୨ତମ ଦିନ । ଘମାଘୋଟ ଲଢେଇ ମଧ୍ୟରେ ଗାଜା ସୀମା ମଧ୍ୟକୁ ପଶି ଛାନଭିନ କରୁଛି ଇସ୍ରାଏଲି ସେନାର ଟ୍ୟାଙ୍କ୍ । ଆତଙ୍କୀ ଶିବିରକୁ ଠାବ କରି ଗୋଟି ଗୋଟି କରି ନଷ୍ଟ କରୁଛନ୍ତି । ବାୟୁସେନାର ସହାୟତାରେ ଆତଙ୍କୀଙ୍କ ଅନେକ ଶିବିରକୁ ଧ୍ବଂସ କରିଛି ଇସ୍ରାଏଲ ଟ୍ଯାଙ୍କ। ଆଗକୁ ଇସ୍ରାଏଲ ସେନା ପକ୍ଷରୁ ସ୍ଥଳଭାଗରେ ଆକ୍ରମଣ ଯୋଜନା ରହିଛି ।

ସେପଟେ ସିରିଆସ୍ଥିତ ଇରାନର ଦୁଇଟି ସାମରିକ ସ୍ଥଳୀରେ ଏୟାରଷ୍ଟ୍ରାଇକ କରିଛି ଆମେରିକା। ସିରିଆ ସ୍ଥିତ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା ଆଇରଜିସିର ଦୁଇଟି ଟାର୍ଗେଟ ଉପରେ ହମଲା କରିଥିଲା ଆମେରିକା ସେନା। ତେଣେ ସ୍ଥିତି ନିୟନ୍ତ୍ରଣ ଲାଗି ମଧ୍ୟପ୍ରାଚ୍ୟ ଅଭିମୁଖେ ଯାଇଛନ୍ତି ୯୦୦ରୁ ଅଧିକ ଆମେରିକୀୟ ସୈନ୍ୟ । ଇରାନ ସମର୍ଥିତ ସଂଗଠନ ଦ୍ବାରା ଆକ୍ରମଣ ହେବା ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛି ଆମେରିକା ।

ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଗାଜାର ୭ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । ସେମାନଙ୍କ ମଧ୍ୟରେ ୨ ହଜାର ୯ଶହ ନାବାଳକ ଥିବାବେଳେ ୧୫ଶହ ମହିଳା ଅଛନ୍ତି । ହମାସ ନିକଟରେ ଏବେବି ୨୨୯ ପଣବନ୍ଦୀ ଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବାକୁ ଗ୍ରାଉଣ୍ଡ ଅପରେସନ ବିଳମ୍ବ କରିବାକୁ ଆମେରିକା ଇସ୍ରାଏଲକୁ କହି ଆସୁଛି ।

ସେପଟେ ରୁଷିଆ ମସ୍କୋରେ ହମାସ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଇରାନର ଉପବୈଦେଶିକ ମନ୍ତ୍ରୀ ଅଲି ବଘେରି କାନି।ଏସବୁ ଭିତରେ ଭାରତ ମହାସାଗରରେ ଚୀନ ଓ ପାକିସ୍ତାନ ନୌବାହିନୀ ପକ୍ଷରୁ ଯୁଦ୍ଧାଭ୍ୟାସ କରାଯାଇଛି । ଭାରତୀୟ ନୌବାହିନୀ ଚୀନର ଯୁଦ୍ଧ ଜାହାଜ ଉପରେ ସତର୍କ ଦୃଷ୍ଟି ରଖିଛି।