ଇସ୍ରାଏଲ ଓ ସୁଇଜରଲ୍ୟାଣ୍ଡକୁ ଡେଇଁଲା ମଙ୍କିପକ୍ସ ଭାଇରସ, ୧୪ରେ ପହଞ୍ଚିଲା ସଂକ୍ରମିତ ଦେଶ ସଂଖ୍ୟା

ନୂଆଦିଲ୍ଲୀ: ଆଉ ୨ ଦେଶକୁ ଡେଇଁଲା ମଙ୍କିପକ୍ସ ଭାଇରସ । ଇସ୍ରାଏଲ ତେଲ୍ ଆଭିବ୍ ଅନ୍ତର୍ଗତ ଇଚିଲୋଭରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ସେଠାରେ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେ କିଛି ଦିନ ତଳେ ପଶ୍ଚିମ ୟୁରୋପରୁ ଫେରିଥିଲେ । ସେହିପରି ସୁଇଜରଲ୍ୟାଣ୍ଡ ବର୍ନରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଦେଶକୁ ମିଶାଇ ମଙ୍କିପକ୍ସ କାୟା ୧୪ଟି ରାଷ୍ଟ୍ରକୁ ବ୍ୟାପିଥିବା ସୂଚନା ମିଳିଛି । ପୂର୍ବରୁ ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ନେଦରଲ୍ୟାଣ୍ଡସ, ପର୍ତ୍ତୃଗାଲ, ସ୍ପେନ, ସ୍ୱିଡେନ, ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସେପଟେ ମଙ୍କିପକ୍ସର ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱତନ୍ତ୍ର କମିଟିର ଅନୁସନ୍ଧାନ ଜାରି ରହିଛି । ଗତକାଲି ଅନୁଷ୍ଠିତ ବୈଠକରେ ଏହି ସଂକ୍ରମଣର ତରିକା, ନିରାକରଣ ଆଦି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି । ସଂକ୍ରମିତ ଚିହ୍ନଟ ହୋଇଥିବା ଦେଶର ପ୍ରଶାସନ ସହ ସଂଗଠନର ବିଶେଷଜ୍ଞମାନେ ଯୋଗସୂତ୍ରରେ ରହିଛନ୍ତି ଏବଂ ବିଭିନ୍ନ ପରାମର୍ଶ ଦିଆଯାଉଥିବା କୁହାଯାଇଛି । ରୋଗ ସମ୍ପର୍କରେ ଅଧିକ ଗବେଷଣା ଓ ନିରାକରଣ ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସଂଗଠନ ।