ଇସ୍ରାଏଲୀ ସୈନ୍ୟ ଓ ଶିଶୁଙ୍କ ମୁଣ୍ଡକାଟ ପରେ ତାତିଲେ ପ୍ରଧାନମନ୍ତ୍ରୀ, କହିଲେ ମୂଳପୋଛ ହେବ ହମାସ

ଜେରୁଜେଲମ: ଇସ୍ରାଏଲୀ ସୈନ୍ୟ ଓ ଶିଶୁମାନଙ୍କ ମୁଣ୍ଡକାଟ କରୁଛି ହମାସ । ଅନେକଙ୍କୁ ଜୀବନ୍ତ ଜାଳି ଦିଆଯାଉଛି । ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ସେମାନଙ୍କୁ ହତ୍ୟା କରାଯାଉଛି । ଏପରି କିଛି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ । ଏହା ସହ ହମାସକୁ ସମ୍ପୂର୍ଣ୍ଣ ମୂଳପୋଛ କରାଯିବ ବୋଲି ସେ କହିଛନ୍ତି । ଏହି ଲୋମହର୍ଷକ ଘଟଣାକୁ ବି ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ସେପଟେ ଇସ୍ରାଏଲୀ ଶିଶୁମାନଙ୍କୁ ଧରି ନେବା ପରେ ସେମାନଙ୍କ ମୁଣ୍ଡକାଟ କରାଯାଉଛି ବୋଲି କହିଛନ୍ତି ଇସ୍ରାଏଲ ପ୍ରତିରକ୍ଷା ବିଭାଗ ମୁଖପାତ୍ର ଜୋନାଥନ କନରିକସ । ତେଣେ ହମାସ କମାଣ୍ଡର ମହମ୍ମଦ ଅଲ ଜହରଙ୍କ ଏକ ବିବୃତି ସମସ୍ତଙ୍କୁ ଚକିତ କରିଛି । ସେ କହିଛନ୍ତି ଇସ୍ରାଏଲ ହେଉଛି ହମାସର ପ୍ରଥମ ଟାର୍ଗେଟ । ତାଙ୍କ ଆଇନ ଅନୁସାରେ ସମଗ୍ର ବିଶ୍ବର 510 ନିୟୁତି ବର୍ଗ କିଲୋମିଟର ଅଞ୍ଚଳ ତାଙ୍କ ଅଧୀନରେ ଆସିବ । ଏହା ସମ୍ପୂର୍ଣ୍ଣ ହେଲେ ବିଶ୍ବରେ ଅନ୍ୟାୟ, ନିର୍ଯାତନା, ହତ୍ୟା, ଅପରାଧ ଆଦି ରହିବ ନାହିଁ ବୋଲି ସେ କହିଛନ୍ତି ।

ଗାଜା ସୀମାରେ ପ୍ରାୟ 3 ଲକ୍ଷ ସୈନିକଙ୍କୁ ଇସ୍ରାଏଲ ଠୁଳ କରିଥିବାବେଳେ ଇସ୍ରାଏଲୀ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ମନା କରିଛି ଇଜିପ୍ଟ । ସେପଟେ ହେଜବୁଲ୍ଲା ବାହିନୀ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜାତିସଂଘ ପାଲେଷ୍ଟିନୀୟ ଶରଣାର୍ଥୀ ସଂସ୍ଥାର 11 ଜଣ କର୍ମୀ ଓ ଅନ୍ତର୍ଜାତୀୟ ରେଡକ୍ରସ ଓ ରେଡକ୍ରିସେଣ୍ଟର 5 ଜଣ କର୍ମୀ ଇସ୍ରାଏଲୀ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ 22ଜଣ ଆମେରିକୀୟ ନାଗରିକ ପ୍ରାଣ ହରାଇଛନ୍ତି ।

ତେଣେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଓ କେନ୍ଦ୍ରପନ୍ଥୀ ବିରୋଧୀ ଦଳ ନେତା ବେନି ଗାଞ୍ଜଙ୍କୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ ଗଠନ କରିଛନ୍ତି ଓ୍ବାର କ୍ୟାବିନେଟ । ତେଲ ଆଭିବ ଉପରେ ପୁଣି ହମାସର ରକେଟ ମାଡ । ଫଳରେ ବେନ ଗୁରିଅନ ବିମାନ ବନ୍ଦରରୁ ସମସ୍ତ ବିମାନ ସେବା ବନ୍ଦ କରିଛି ଇସ୍ରାଏଲ । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ 3 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଯୁଦ୍ଧର ପରିସମାପ୍ତି ଲାଗି ବାଇଡେନ ପ୍ରଶାସନ ଉଦ୍ୟମ ଜାରି ରଖିଛି । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ଯରେ ବୁଝାମଣା ଲାଗି ଆଜି ଇସ୍ରାଏଲ ଗସ୍ତରେ ଆସୁଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ।

ସେପଟେ ଇସ୍ରାଏଲର ନେଭାତିମ ଏୟାରବେସରେ ପହଞ୍ଚିଛି ଆମେରିକା ପଠାଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଯୁଦ୍ଧର ଅନ୍ତ ଲାଗି ଆହ୍ବାନ ଜଣାଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ହଜାର ହଜାର ଲୋକଙ୍କ ଜୀବନ ନେଉଥିବା ଏହି ଯୁଦ୍ଧର ତୁରନ୍ତ ପରିସମାପ୍ତ ଘଟୁ । ବିଦ୍ୟୁତ ଯୋଗାଣ ବନ୍ଦ ହେବା ପରେ ଗାଜାରେ ହାହାକାର ସୃଷ୍ଟି ହୋଇଛି । ଗାଜାର ଏକମାତ୍ର ପାଓ୍ବାର ଷ୍ଟେସନରୁ ଇନ୍ଧନ ଶେଷ ହୋଇଯାଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି ଗାଜାକୁ ବିଦ୍ୟୁତ, ଖାଦ୍ୟ ଓ ଇନ୍ଧନ ଯୋଗାଣ ବନ୍ଦ ନିଷ୍ପତ୍ତି ଜାରି ରହିବ ।