ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ୭୦ରୁ ଅଧିକ ମୃତ

ନନ୍ଦିଘୋଷ ବ୍ୟୁରୋ: ଗାଜା ଉପରେ ପୁଣି ଆକ୍ରମଣ କଲା ଇସ୍ରାଏଲ । ମାରିଲା ଘନ ଘନ ରକେଟ୍ । ଥସ୍ରାଏଲ ଆକ୍ରମଣରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ବହୁତ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି । ବହୁ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି ।
ଗତ ଜାନୁଆରୀ ୧୯ରୁ ଆରମ୍ଭ ହୋଇଥିବା ଯୁଦ୍ଧ ବିରତି ପରେ ଏହା ହେଉଛି ଇସ୍ରାଏଲର ସବୁଠୁ ବଡ଼ ଆକ୍ରମଣ। ଗତ ରାତିରେ ଆକାଶମାର୍ଗରୁ ଘନ ଘନ କ୍ଷେପଣାସ୍ତ୍ର ଓ ବୋମା ବର୍ଷଣ କରିଛି ଇସ୍ରାଏଲ । ଯୁଦ୍ଧବିରତି ଓ ରମଜାନ ମାସ ସତ୍ତ୍ଵେ ଇସ୍ରାଏଲ ଆକ୍ରମଣ କରିଥିବାରୁ ଏହାକୁ ନେଇ ସାରା ବିଶ୍ଵରେ କ୍ଷୋଭ ପ୍ରକାଶ ପାଇଛି । ସେପଟେ ଇସ୍ରାଏଲର ଆର୍ମି ପକ୍ଷରୁ ସୋସିଆଲ ମିଡିଆରେ କୁହାଯାଇଛି ହମାସର ଆଡ୍ଡା ଉପରେ ଜୋରଦାର ଆକ୍ରମଣ କରଯାଇଛି ।
ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ହମାସ ବନ୍ଧକ ରଖିଥିବା ଆମ ନାଗରିକଙ୍କୁ ଛାଡ଼ିବାକୁ ଅମଙ୍ଗ ହେବା ପରେ ଏହି ଆକ୍ରମଣ କରାଯାଇଛି । ଆତଙ୍କବାଦୀଙ୍କ ଆଡ୍ଡା ଉପରେ ବୋମା ବର୍ଷଣ ହୋଇଛି । ଯୁଦ୍ଧର ଲକ୍ଷ୍ୟ ପୂରଣ କରିବାକୁ ଏହି ଆକ୍ରମଣ କରାଯାଇଥିବା ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି, ହମାସକୁ ମୂଳପୋଛ କରାଯିବ। ଏପରିକି ହମାସ ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରିଥିବାର ଅଭିଯୋଗ କରିଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ । ଆଲୋଚନା ଫେଲ୍ ହେବା ପାଇଁ ହମାସକୁ ସେ ଦାୟୀ କରିଛନ୍ତି।
ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତିକୁ ବୃଦ୍ଧି କରିବାକୁ ଇସ୍ରାଏଲ ଚାହୁଁଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ପରେ ହିଁ ବନ୍ଧକଙ୍କୁ ଛାଡ଼ିବ ବୋଲି କହିଥିଲା ହମାସ । ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିଥିଲା । ଏଥିରେ ୧୨୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରି ବନ୍ଧକ ମଧ୍ୟ ରଖିଥିଲା ହମାସ । ଇସ୍ରାଏଲର ପ୍ରତି ଆକ୍ରମଣରେ ୫୦ ହଜାରରୁ ଅଧିକ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ହେଲାଣି । ଦେଢ଼ ଲକ୍ଷ ଲୋକ ଆହତ ହୋଇଥିବା ବେଳେ ୨୫ ଲକ୍ଷ ଲୋକ ବାସହରା ହୋଇଛନ୍ତି ।