ଜଣାପଡ଼ିଲା ଇସ୍ରାଏଲ ପାଖରେ କାହିଁକି ଅସହାୟ ହୋଇଗଲା ଇରାନ, ଘରେ ବସିଥିଲେ ୨୧ ହଜାର ଗୁପ୍ତଚର

ନନ୍ଦିଘୋଷ ବ୍ୟୁରୋ: ଜୁନରେ ଇସ୍ରାଏଲ ଓ ଇରାନ ମଧ୍ୟରେ ହୋଇଥିବା ୧୨ ଦିନିଆ ଯୁଦ୍ଧରେ ଇରାନ ଭିତରେ ପଶି ଇସ୍ରାଏଲ ବହୁତ କ୍ଷତି କରିଥିଲା । ଇରାନର ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କ ସୁରକ୍ଷିତ ସ୍ଥାନରେ ହିଁ ହତ୍ୟା କରିଥିଲା ଇସ୍ରାଏଲ । ଯାହାକୁ ନେଇ ସାରା ବିଶ୍ବରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ପ୍ରଶଂସା କରାଯାଉଛି । ମୋସାଦ ଇରାନ ଭିତରେ ଇରାନୀ ଅଧିକାରୀ ଓ ନେତାଙ୍କୁ ହତ୍ୟା କରିବା ପାଇଁ ଗୁପ୍ତ ଜାଲ ବିଛାଇ ଥିଲା ।

ମଙ୍ଗଳବାର ଇରାନ ପୋଲିସ ପକ୍ଷରୁ କୁହାଯାଇଛି, ଇସ୍ରାଏଲ ସହ ଯୁଦ୍ଧ ବେଳେ ୨୧ ହଜାର ସନ୍ଦିଗ୍ଧ ଲୋକଙ୍କୁ ଗିରଫ କରାଯାଇଛି । ସାଧାରଣ ଲୋକଙ୍କ ସୂଚନା ଆଧାରରେ ଏହି ଗିରଫଦାରୀ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଇରାନ ନ୍ୟାୟପାଳିକା ଗିରଫଦାରୀକୁ ନେଇ ଭିନ୍ନ ମତ ରଖିଛି । ପ୍ରାୟ ଦୁଇ ହଜାର ଲୋକଙ୍କୁ ଗିରଫ କରାଯାଇଥିବା ନ୍ୟାୟପାଳିକା ସୂଚନା ଦେଇଛନ୍ତି ।

ପୋଲିସ ପ୍ରବକ୍ତା ସଇଦ ମୋଣ୍ଟାଜେରଲାମାହଦି ସରକାରୀ ଗଣମାଧ୍ୟମକୁ କହିଛନ୍ତି, ଏହି ଗିରଫଦାରୀ ରାଷ୍ଟ୍ରୀୟ ଆପତ୍ତିକାଳୀନ ଲାଇନ୍ ୧୧୦ରେ ହୋଇଥିବା ୭୮୫୦ ରିପୋର୍ଟ ଆଧାରରେ କରାଯାଇଛି । ୧୨ ଦିନର ଯୁଦ୍ଧରେ ସାଧାରଣ ଲୋକଙ୍କ କଲରେ ୪୧ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ୨୧ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ।

ମୋସାଦ ଏଜେଣ୍ଟଙ୍କୁ ଧରିବାକୁ ୪୦ ହଜାର ପୋଲିସ ମୁତୟନ

ମୋଣ୍ଟାଜେରଲାମାହଦି କହିଛନ୍ତି, ଯୁଦ୍ଧ ସମୟରେ ପୂରା ଦେଶରେ ହଜାରେରୁ ଅଧିକ ଚେକପୋଷ୍ଟ ନିର୍ମାଣ କରାଯାଇଥିଲା । ରାସ୍ତା ଘଟ ଉପରେ ୨୪ ଘଣ୍ଟା ନଜର ରଖାବାକୁ ୪୦ ହଜାରରୁ ଅଧିକ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ସେ କହିଛନ୍ତି, ବେଆଇନ ଭାବେ ଇରାନରେ ପଶିଥିବା ୨୭୭୪ ଜଣ ବିଦେଶୀଙ୍କୁ ଗିରଫ କରାଯାଇଛି । ଫୋନ ଯାଞ୍ଚ ପରେ ୩୦ଟି ବିଶେଷ ସୁରକ୍ଷା ମାମଲା ରୁଜୁ କରାଯାଇଥିବା ବେଳେ ଗୁପ୍ତଚରୀ ସନ୍ଦେହରେ ୨୬୧ ଲୋକ ଓ ବେଆଇନ ଫିଲ୍ମିଂ ପାଇଁ ୧୭୨ ଜଣଙ୍କୁ ଗିରଫ କରାଯାଇଛି ।