ଇରାନ ସମର୍ଥିତ ହିଜବୁଲ୍ଲା ସହ ଅସ୍ତ୍ରବିରତି ଲାଗି ଇସ୍ରାଏଲର ନିଷ୍ପତ୍ତି
1 min read
ନୂଆଦିଲ୍ଲୀ : କିଛି ମାସର ବ୍ଯବଧାନ ପରେ ମଧ୍ଯପ୍ରାଚ୍ଯରେ ଫେରିଛି ସାମୟିକ ଶାନ୍ତି। ଇରାନ ସମର୍ଥିତ ହିଜବୁଲ୍ଲା ସହ ଅସ୍ତ୍ରବିରତି ଲାଗି ଇସ୍ରାଏଲ ନିରାପତ୍ତା କ୍ଯାବିନେଟ ନିଷ୍ପତ୍ତି ନେଇଛି। ଏନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ଯାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଆମେରିକା ଓ ଫ୍ରାନ୍ସର ପ୍ରସ୍ତାବକୁ ଉଭୟ ପକ୍ଷ ସମ୍ମାନ ଦେଇ ଏହି ଅସ୍ତ୍ରବିରତ ଘୋଷଣା କରିଛନ୍ତି। ଅସ୍ତ୍ରବିରତି ପଛରେ ରହିଛି ୩ଟି କାରଣ। ଇରାନ ଆଡୁ ଥିବା ବିପଦକୁ ଫୋକସ କରିବା। ଦ୍ବିତୀୟରେ ସୈନ୍ଯବାହିନୀକୁ ଅଧିକ ସୁସଞ୍ଜତ କରିବା। ତୃତୀୟରେ ହମାସକୁ ଅଲଗା କରିବା। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ-ଲେବାନନ ଯୁଦ୍ଧରେ ପ୍ରାଣ ହରାଇଲେଣି ୩ ହଜାର ୮୦୦ରୁ ଅଧିକ ଲୋକ। ୧୬ ହଜାରରୁ ଅଧିକ ଲୋକ ହେଲେଣି ଆହତ। ସେପଟେ ଗତକାଲି ଲେବାନନ ରାଜଧାନୀ ବେରୁତ ଉପରେ ଇସ୍ରାଏଲ ହମଲା କରିଥିଲା। ୧୨୦ ସେକଣ୍ଡ ମଧ୍ୟରେ ୨୦ ପୃଥକ ପୃଥକ ସ୍ଥାନରେ ଆକ୍ରମଣ କରିଥିଲା ଇସ୍ରାଏଲ। ବେରୁତର ଜନଗହଳି ପୂର୍ଣ୍ଣ ଅଂଚଳରେ ହୋଇଥିଲା ଏ ଆକ୍ରମଣ। ହିଜବୁଲ୍ଲାର ଗଡ଼ ଭାବେ ପରିଗଣିତ ଦକ୍ଷିଣ ବେରୁତରେ ହୋଇଥିଲା ଜୋରଦାର ହମଲା। ସେପଟେ ଲେବାନନ ଉପରେ ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ। କିଛି ଦିନ ମଧ୍ୟରେ ଇସ୍ରାଏଲ ବାୟୁସେନା ଆକ୍ରମଣରେ ପ୍ରାୟ ୧୦୦ ଲୋକଙ୍କ ମୃତ୍ଯୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ତେବେ ଇସ୍ରାଏଲ ଏବଂ ଲେବାନନ ଯୁଦ୍ଧ ବିରତି ନେଇ ଗାଜା ଆକ୍ରମଣ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଗାଜା ଉପରେ ଇସ୍ରାଏଲ ପୂର୍ବ ଭଳି ସୈନ୍ୟ ଅଭିଯାନ ଜାରି ରଖିବ।