ମାସେ ପରେ ବି ଯୁଦ୍ଧ ଦେଖୁଛି ବିଶ୍ବ : ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ସଂଘର୍ଷ

ନନ୍ଦିଘୋଷ ବ୍ୟୁରୋ : ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମାସେ ପୁରିଛି । ହମାସର ଆତଙ୍କୀ ହାମଲା ପରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ତୁହାକୁ ତୁହା ଆକ୍ରମଣ କରି ଚାଲିଛି । ଏପରିକି ଲଗାତାର ଆକ୍ରମଣ କରି ଗାଜା ପଟ୍ଟି ୨ଭାଗରେ ବିଭକ୍ତ ହୋଇ ଯାଇଥିବା ଇସ୍ରାଏଲ ସେନା ଦାବି କରିଛି । ଏହି ଦୁଇ ଭାଗ ମଧ୍ୟରେ ଏକ ଦକ୍ଷିଣ ଗାଜା ଓ ଅନ୍ୟଟି ଉତ୍ତର ଗାଜା ବୋଲି କୁହାଯାଉଛି । ତଥାପି ଗାଜା ଉପରେ ଥମିନି ଇସ୍ରାଏଲର ଆକ୍ରମଣ ।

ଏବେବି ଗାଜା ଉପରେ ଇସ୍ରାଏଲ ଲଗାତାର ଭାବେ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି । ଗାଜା ପଟ୍ଟିରେ ଓ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ସ୍ଥିତିକୁ ଦୃଢ କରିବା ଲକ୍ଷ୍ୟରେ ଆଗେଇ ଚାଲିଥିବା ଇସ୍ରାଏଲ ସେନା କହିଛି । ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣକୁ ନେଇ ବିଶ୍ୱ ସମୁଦାୟ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କିନ୍ତୁ ନିଜ ଜିଦରେ ଅଟଳ ।

ହମାସ ଆତଙ୍କବାଦୀଙ୍କ କବଳରୁ ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ନ କରିବା ପର୍ଯ୍ୟନ୍ତ ଯୁଦ୍ଧରେ ବିରାମ ଲାଗିବ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି । ଏପରିକି ଆମ ପାଖେ ଆଉ କିଛି ବିକଳ୍ପ ନ ଥିବା ବେଳେ ନ ଜିତିବା ପର୍ଯ୍ୟନ୍ତ ଆମେ ଯୁଦ୍ଧ କ୍ଷେତ୍ର ଛାଡ଼ି ପାରିବୁନି ବୋଲି ସେ କହିଛନ୍ତି ।