ପାଲେଷ୍ଟାଇନ ଉପରେ ଇସ୍ରାଏଲର ଘନଘନ ଆକ୍ରମଣ,୧୬ ଶହ ଟପିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ :  ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଛି ଘମାଘୋଟ ସଂଘର୍ଷ । ବର୍ତ୍ତମାନ ସୁଦ୍ଧା ୧୬ଶହରୁ ଅଧିକ ନାଗରିକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଇସ୍ରାଏଲର ୯ଶହ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗାଜାରେ ୬୮୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଇସ୍ରାଏଲର ୨୬ଶହରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ଇସ୍ରାଏଲ ସୈନ୍ୟଙ୍କ ଆକ୍ରମଣରେ ପ୍ରାୟ ୩ ହଜାର ପାଲେଷ୍ଟାଇନ ନାଗରିକ ଆହତ ହୋଇଛନ୍ତି । ଇସ୍ରାଏଲର ଶହ ଶହ ସଂଖ୍ୟାରେ ନାଗରିକଙ୍କୁ ପଣବନ୍ଦୀ କରି ରଖିଛନ୍ତି ହମାସ ଆତଙ୍କବାଦୀ । ପଣବନ୍ଦୀ ନାଗରିକଙ୍କ ମଧ୍ୟରେ ଆମେରିକା ସମେତ ଅନ୍ୟ ଦେଶର ନାଗରିକ ରହିଛନ୍ତି । ଆତଙ୍କବାଦୀ ଆକ୍ରମଣର ଯବାବରେ ଇସ୍ରାଏଲ ଗାଜା ଉପରେ ପ୍ରତି ଆକ୍ରମଣ ଜାରି ରଖିଥିବାବେଳେ ପଣବନ୍ଦୀ କରି ରଖିଥିବା ନାଗରିଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ହମାସ ଆତଙ୍କବାଦୀ ।

ଏବେ ଗାଜାକୁ ଘେରି ରହିଛନ୍ତି ୧ ଲକ୍ଷରୁ ଅଧିକ ଇସ୍ରାଏଲୀ ଯବାନ । ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ପାଲେଷ୍ଟାଇନକୁ କଡ଼଼ା ଚେତାବନୀ ଦେଇଛନ୍ତି। ଗାଜା ଉପରେ ଆକ୍ରମଣ କରିବାକୁ ପ୍ରାୟ ୩ ଲକ୍ଷ ସେନା ଯୋଗାଡ କରୁଛି ଇସ୍ରାଏଲ। ଗାଜା ଯୁଦ୍ଧ ଆରମ୍ଭ କରିଥିବାରୁ ଆମେ ଏହାକୁ ଶେଷ କରିବୁ ବୋଲି ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ । ଇସ୍ରାଏଲ ଉପରେ ଆକ୍ରମଣ ଗାଜାକୁ ମହଙ୍ଗା ପଡ଼ିବ। ଦଶନ୍ଧୀ ଧରି ହମାସ ସହ ଅନ୍ୟ ଶତ୍ରୁପକ୍ଷ ଇସ୍ରାଏଲର ଯବାବକୁ ମନେ ରଖିବେ ବୋଲି କହିଛନ୍ତି ନେତନ୍ୟାହୁ । ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ସମର୍ଥନ କରିବା ସହ ଯୁଦ୍ଧ ବିମାନ ଓ ଯୁଦ୍ଧ ପୋତ ପଠାଇଛି ଆମେରିକା । ତେବେ ଯୁଦ୍ଧରେ ଆମେରିକା ସୈନ୍ୟ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛି ହ୍ବାଇଟ ହାଉସ ।