ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ ବିରତି; ୨୪ ପଣବନ୍ଦୀଙ୍କୁ ଛାଡିଲେ ହମାସ ଆତଙ୍କବାଦୀ

1 min read

ଗାଜା: ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ ବିରତିର ଆଜି ଦ୍ବିତୀୟ ଦିନ। ପ୍ରଥମ ପର୍ଯ୍ୟାୟରେ ୨୪ ପଣବନ୍ଦୀଙ୍କୁ ଛାଡିଲେ ହମାସ ଆତଙ୍କବାଦୀ। ମୁକ୍ତି ପାଇଥିବା ପଣବନ୍ଦୀଙ୍କ ମଧ୍ୟରେ ୧୩ ଇସ୍ରାଏଲ ନାଗରିକଙ୍କ ସହ ୧୧ ବିଦେଶୀ ନାଗରିକ ଅଛନ୍ତି। ବିଦେଶୀ ନାଗରିକଙ୍କ ମଧ୍ୟରେ ୧୦ ଥାଇଲାଣ୍ଡ ଏବଂ ଜଣେ ଫିଲିପିନ୍ସ ନାଗରିକ ମୁକ୍ତି ପାଇଛନ୍ତି । ମୋଟ ୨୪ ଜଣଙ୍କ ମଧ୍ୟରୁ ପ୍ରତିବଦଳରେ ଇସ୍ରାଏଲ ୩୯ ପାଲେଷ୍ଟିନୀୟ ନାଗରିକଙ୍କୁ ମୁକ୍ତ କରିଛି । କତାର ମଧ୍ୟସ୍ଥତାରେ ପଣବନ୍ଦୀ ମୁକ୍ତି ପାଇଛନ୍ତି ।

ଆଜି ଦ୍ବିତୀୟ ପର୍ଯ୍ୟାୟରେ ମୁକ୍ତ ହେବାକୁ ଥିବା ପଣବନ୍ଦୀଙ୍କ ତାଲିକା ଦେଇଛି ହମାସ। ଆତଙ୍କୀ ସଂଗଠନ ହମାସ ପାଖରେ ଏବେବି ୨ଶହରୁ ଅଧିକ ପଣବନ୍ଦୀ ରହିଛନ୍ତି । ଗତ ଅକ୍ଟୋବର ୭ ତାରିଖର ଆକ୍ରମଣ ପରେ ହମାସ ଆତଙ୍କବାଦୀ ସେମାନଙ୍କୁ ଇସ୍ରାଏଲରୁ ନେଇ ଆସିଥିଲେ। ମୁକ୍ତି ପାଇଥିବା ପଣବନ୍ଦୀଙ୍କ ମଧ୍ୟରେ ୫ ବୟସ୍କ ମହିଳା ସମେତ ୪ ଜଣ ଶିଶୁ ରହିଛନ୍ତି। ଆସନ୍ତା ୩ ଦିନ ମଧ୍ୟରେ ମୋଟ ୫୦ ପଣବନ୍ଦୀଙ୍କୁ ଛାଡିବେ ହମାସ ଆତଙ୍କବାଦୀ। ହମାସ ଆତଙ୍କୀ ଅନ୍ତର୍ଜାତୀୟ ରେଡକ୍ରସ ସଂଗଠନକୁ ସମସ୍ତ ପଣବନ୍ଦୀଙ୍କୁ ହସ୍ତାନ୍ତର କରିଥିଲେ। ଗାଜାର ଖାନ୍ ୟୁନିସ ହସ୍ପିଟାଲରେ ପଣବନ୍ଦୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ସେମାନେ ଇସ୍ରାଏଲ ଅଭିମୁଖେ ଯାଇଛନ୍ତି ।

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ। ଏହାପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ସେପଟେ ଇଜିପ୍ଟର ରାଫା ସୀମାରୁ ଗାଜାକୁ ମାନବୀୟ ସହାୟତା ଜାରି ରହିଛି। ୧୯୬ଟି ଟ୍ରକ ଦେଇ ଖାଦ୍ୟ, ଔଷଧ ଏବଂ ଅନ୍ୟ ମେଡିକାଲ ସାମଗ୍ରୀ ଯାଇଛି। ଗତ ଅକ୍ଟୋବର ୨୧ପରଠାରୁ ଗାଜାକୁ ବର୍ତ୍ତମାନ ସୁଦ୍ଧା ୧୭ଶହ ୫୯ଟି ଟ୍ରକରେ ଖାଦ୍ୟ ସାମଗ୍ରୀ ପଠାଯାଇଛି । ଗାଜା-ଇସ୍ରାଏଲ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପାଲେଷ୍ଟାଇନର ୧୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ହମାସ ଆକ୍ରମଣରେ ଇସ୍ରାଏଲର ୧୨ ଶହ ଜଣଙ୍କର ମୃତ୍ୟୁ ଘଟିଥିଲା ।