ଗାଜାର ଏକ ହସ୍ପିଟାଲରେ ରକେଟ ମାଡ଼, ୫ଶହ ମୃତ

ନନ୍ଦିଘୋଷ ବ୍ୟୁରୋ: ଗାଜାର ଏକ ହସ୍ପିଟାଲ ଉପରେ ଭୟଙ୍କର ରକେଟ ମାଡ଼ । ଏହି ରକେଟ ମାଡ଼ରେ ୫ଶହରୁ ଅଧିକ ଲୋକଙ୍କ ମୃତ୍ଯୁ । ପାଲେଷ୍ଟିନୀୟ ବସବାସ କରୁଥିବା ଅଞ୍ଚଳର ଅଲ ଆଲି ଆରବ ହସ୍ପିଟାଲରେ ହୋଇଛି ରକେଟ ମାଡ଼ । ହମଲା ପରେ ସାରା ଅଞ୍ଚଳରେ ଖେଳିଯାଇଛି ଆତଙ୍କ ।

ଆର୍ତ୍ତଚିତ୍କାରରେ ଫାଟୁଛି ପରିବେଶ । ଜୀବନ ବିକଳରେ ଲୋକେ ପଳାୟନ ଆରମ୍ଭ କରିଛନ୍ତି । ଗୁଇନ୍ଦା ସୂଚନା ଅନୁସାରେ, ଇସଲାମିକ ଜିହାଦ ଗୋଷ୍ଠୀ ଇସ୍ରାଏଲ ଉପରେ ରକେଟ ମାଡ କରୁଥିବା ବେଳେ ତାହା ବିଫଳ ହୋଇ ହସ୍ପିଟାଲରେ ପଡିଥିଲା । ଏହି ସମୟରେ ଇସ୍ରାଏଲର କୌଣସି ଏରିଆଲ ଅପରେସନ ହେଉ ନଥିଲା । ସେପଟେ ଏହି ହମଲା ପଛରେ ଇସ୍ରାଏଲର ହାତ ରହିଛି ବୋଲି ଦାବି କରିଛି ପାଲେଷ୍ଟାଇନର ଇସଲାମିକ ଜିହାଦ ମୁଭମେଣ୍ଟ ।

ଏହି ରକେଟ ହମଲା ଲାଗି ଇସ୍ରାଏଲ ଉପରେ ଦୋଷ ଲଦିଛନ୍ତି ସାଉଦିଆରବ, ୟୁଏଇ, ବାହାରିନ, ଇଜିପ୍ଟ, ଜୋର୍ଡାନ ଓ ତୁର୍କୀ ।  ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମୁଖପାତ୍ର ଦାନିଏଲ ହାଗାରି କହିଛନ୍ତି ଏହି ହମଲା ଲାଗି ଇସଲାମିକ ଜିହାଦ ଦାୟୀ । ରକେଟମାଡ ପ୍ରସଙ୍ଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଏହି ଘଟଣା ପରେ ଇରାନ ତେହେରାନସ୍ଥିତ ବ୍ରିଟେନ ଓ ଫ୍ରାନ୍ସ ଦୂତାବାସ ଉପରେ ଶହ ଶହ ଲୋକ ବିକ୍ଷୋଭ କରିଛନ୍ତି । ରକେଟ ମାଡକୁ ବି ନିନ୍ଦା କରିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ।

ଅନ୍ୟପକ୍ଷରେ ଆଜି ଇସ୍ରାଏଲ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେବେ ଗସ୍ତ ପୂର୍ବରୁ ଗାଜା ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକକୁ ନେଇ କୂଟନୀତି ସ୍ତରରେ ହୋଇଛି ହଲଚଲ । ଜୋର୍ଡାନର ଆମାନରେ ହେବାକୁ ଥିବା କେତେକ ଦେଶର ନେତାଙ୍କ ସହ ବାଇଡେନଙ୍କ ବୈଠକ ବାତିଲ ହୋଇଛି । ବାଇଡେନଙ୍କ ଇସ୍ରାଏଲ ଗସ୍ତକୁ ବହୁ ଆରବ ରାଷ୍ଟ୍ର ବିରୋଧ କରିଆସୁଛନ୍ତି ।

ଜୋର୍ଡାନ ବୈଦେଶିକ ମନ୍ତ୍ରୀ ଆୟାମାନ ସଫାଦି କହିଛନ୍ତି ଜୋର୍ଡାନ ରାଜା ଅବଦୁଲ୍ଲା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ ସିସି, ପାଲେଷ୍ଟାଇନ କର୍ତ୍ତୃପକ୍ଷ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ ବାଇଡେନଙ୍କ କଥାବାର୍ତ୍ତା ବାତିଲ ହୋଇଛି । ସେପଟେ ଲେବାନନ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା ।

ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୩୧ ମାର୍କିନ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି ।