ଆମେ ହୁତି ନେତାଙ୍କର ମଧ୍ୟ ଶିରଛେଦ କରିବୁ, ଇସ୍ରାଏଲର ଇରାନକୁ ଧମକ
ଜେରୁଜେଲମ: ହମାସ ନେତା ଇସମାଇଲ ହାନିଆକିୁ ହତ୍ୟା କରିବାରେ ଇସ୍ରାଏଲର ହାତ ଅଛି । ପ୍ରଥମ ଥର ସର୍ବସାଧାରଣରେ ସ୍ବୀକାର କଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ମନ୍ତ୍ରୀଙ୍କ ଏଭଳି ବୟାନ ପରେ ତେହରାନ ଓ ଇସ୍ରାଏଲ ମଧ୍ୟରେ ତିକ୍ତତାକୁ ବଢାଇ ଦେଇପାରେ ।
ମନ୍ତ୍ରୀ କାଟ୍ଜ କହିଥିଲେ ‘‘ବର୍ତ୍ତମାନ ସମୟରେ ହୁତି ଆତଙ୍କବାଦୀ ସଙ୍ଗଠନ ଇସ୍ରାଏଲ ଉପରେ ମିସାଇଲ ମାଡ କରୁଛି । ମୁଁ ସଭିଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ଆମେ ହମାସକୁ ହରାଇଲୁ, ହିଜବୁଲ୍ଲାହକୁ ବି ହରାଇଲୁ, ଇରାନର ପ୍ରତିରକ୍ଷା ପ୍ରଣାଳୀକୁ ଶେଷ କଲୁ, ସିରିଆରେ ଅସଦ ଶାସନକୁ ବି ଓଲଟାଇଦେଲୁ । ଏବେ ପୁଣି ଥରେ ୟେମେନରେ ହୁତି ଆତଙ୍କବାଦୀ ସଙ୍ଗଠନକୁ ବି ଶକ୍ତ ପାହାର ଦେବୁ ’’।
ସେ ଏହା ବି କହିଥିଲେ ‘‘ଆମେ ତାଙ୍କ ରଣନୀତି ଢାଞ୍ଚାକୁ କ୍ଷତି ପହଞ୍ଚାଇବୁ । ସେମାନଙ୍କ ଟପ୍ ନେତାଙ୍କ ମୁଣ୍ଡ କାଟ କରିବୁ ଯେମିତି ଆମେ ତେହରାନ, ଗାଜା ଓ ଲେବାନନରେ ହାନିଆ, ସିନବାର ଓ ନସରୁଲ୍ଲାହ ସହ କରିଥିଲୁ । ଠିକ୍ ସେମିତି ଆମେ ହୌଦେଦାହ ଓ ସାନାରେ ବି କରିବୁ’’ ।
ଏଠାରେ କହିରଖୁଛୁ ଯେ ଇରାନ ସମର୍ଥିତ ହୁତି ସମୂହ ୟେମେନରେ ସକ୍ରିୟ ଅଛନ୍ତି । ଗତ ଏକ ବର୍ଷ ଧରି ଲାଲ ସାଗରରେ ପଣ୍ୟ ଜାହାଜକୁ ଟାର୍ଗେଟ କରୁଛି ହୁତି ସମୂହ । ଇସ୍ରାଏଲ ଉପରେ ନାକାବନ୍ଦୀ କରିବାକୁ ପ୍ରୟାସ କରୁଛି ଏହି ଆତଙ୍କବାଦୀ ସଙ୍ଗଠନ ।
ଗତ ଜୁଲାଇରେ ହମାସ ନେତା ଇସମାଇଲ ହାନିଆକୁ ତେହରାନରେ ହତ୍ୟା କରାଯାଇଥିଲା । ଇରାନ ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଥିଲା । ଏବେ ଇସ୍ରାଏଲ ଏଥିପାଇଁ ନିଜକୁ ଦାୟୀ କରିଛି ।