ରାଫା ଆଟାକ୍ ପ୍ଲାନକୁ ଇସ୍ରାଏଲ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଜେରୁଜେଲମ: ଇସ୍ରାଏଲ ଆକ୍ରମଣରେ ଧ୍ବଂସ ସ୍ତୁପରେ ପରିଣତ ହୋଇଛି ଗାଜା । ଯେଉଁଠିକୁ ଚାହିଁବେ ସେଠି କେବଳ ଗଦା ଗଦା ଧ୍ବଂସାବଶେଷ । ଦିନ ଗଡୁଛି, ଇସ୍ରାଏଲର ଆକ୍ରମଣ ବଢୁଛି । ଯାଉଛି ଜୀବନ, ମାଟିରେ ମିଶୁଛି ଘରଦ୍ବାର । ଏହାରି ଭିତରେ ଗାଜା ପାଇଁ ଆସିଛି ଆଉ ଏକ ଭୟାନକ ଖବର । ରାଫା ଆଟାକ ପ୍ଲାନକୁ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟୁହୁ ମଞ୍ଜୁରୀ ଦେଇଛନ୍ତି । ଇସ୍ରାଏଲ ଓ୍ବାର କ୍ଯାବିନେଟ ବୈଠକରେ ଏହି ଘୋଷଣା କରିଛନ୍ତି ନେତାନ୍ଯାହୁ ।

ନେତାନ୍ୟାହୁଙ୍କ ଘୋଷଣା ପରେ ରାଫାରେ ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ତେଣେ ହମାସ ଦେଇଥିବା ଅସ୍ତ୍ର ବିରତି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ନେତାନ୍ୟାହୁ । ପାଲେଷ୍ଟିନୀୟ ପଣବନ୍ଦୀଙ୍କ ମୁକ୍ତି ବଦଳରେ ଇସ୍ରାଏଲୀ ଶିଶୁ, ମହିଳା, ବୟସ୍କଙ୍କୁ ମୁକ୍ତି ଦିଆଯିବ ବୋଲି ହମାସ ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଛି । ଗତ ଅକ୍ଟୋବର ୭ ତାରିଖ ଆକ୍ରମଣ ପରେ ହମାସ ନିକଟରେ ୨୫୦ରୁ ଅଧିକ ଇସ୍ରାଏଲୀ ଓ ବିଦେଶୀ ପଣବନ୍ଦୀ ରହିଥିବା କୁହାଯାଉଛି । ପଣବନ୍ଦୀଙ୍କ ମୁକ୍ତି ଲାଗି ବହୁ ରାଷ୍ଟ୍ର ପକ୍ଷରୁ ଚାପ ପକାଯାଉଥିଲେ ବି ବିଶେଷ ଅଗ୍ରଗତି ହୋଇପାରୁନାହିଁ ।

ସେପଟେ ଗାଜାଷ୍ଟ୍ରିପରେ ଇସ୍ରାଏଲ ଆକ୍ରମଣରେ ଗତ ୩ ଦିନ ମଧ୍ୟରେ ୫୬ ଜଣ ଲୋକ ପ୍ରାଣ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଇଜିପ୍ଟ ଓ କତାରକୁ ହମାସ ପକ୍ଷରୁ ଦିଆଯାଇଥିବା ଏକ ମଧ୍ୟସ୍ଥତା ପ୍ଲାନକୁ ବି ଅଗ୍ରାହ୍ୟ କରି ଦେଇଛି ଇସ୍ରାଏଲ ।