ପୁଣି ତାଣ୍ଡବ ରଚିଲା ଇସ୍ରାଏଲ, ଗାଜାରେ ୩୮ ପାଲେଷ୍ଟାଇନୀ ନିହତ

ନନ୍ଦିଘୋଷ ବ୍ୟୁରୋ ; ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ଯୁଦ୍ଧବିରତି ଚୁକ୍ତିନାମା ପରେ, ଇସ୍ରାଏଲ ପୁଣି ଥରେ ଗାଜାରେ ତାଣ୍ଡବ ଚଳାଇଛି । ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଅନେକ ପାଲେଷ୍ଟାଇନୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏହି ସମୟରେ, ଆମେରିକା ୟେମେନ ଉପରେ ପ୍ରବଳ ବୋମା ମାଡ଼ କରିଥିଲା। ହମାସକୁ ମୂଳପୋଛ କରିବା ପାଇଁ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଯୁଦ୍ଧ ଗତ ୧୮ ମାସ ଧରି ଚାଲିଛି । ଯେଉଁଥିରେ ଅନେକ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ଏହି କ୍ରମରେ, ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବିମାନ ଆକ୍ରମଣ କରିଥିଲା। ଗାଜା ଉପରେ କ୍ଷେପଣାସ୍ତ୍ର ଓ ରକେଟ ମାଡ଼ କରାଯାଇଥିଲା। ଏ ସମ୍ପର୍କରେ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଗାଜା ଉପରେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ ୩୮ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି  । ଭଗ୍ନାବଶେଷରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଜାତିସଂଘର ମାନବିକତା ସଂସ୍ଥା ଓସିଏଚଏ ଅନୁସାରେ, ଇସ୍ରାଏଲ ମାର୍ଚ୍ଚ ୧୮ରେ ଗାଜା ଉପରେ ପୁନଃ ଆକ୍ରମଣ କରିବା ପରଠାରୁ ୧୪୨,୦୦୦ ପାଲେଷ୍ଟାଇନୀଙ୍କୁ ବଳପୂର୍ବକ ବିସ୍ଥାପିତ କରାଯାଇଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଅତି କମରେ ୫୦,୧୮୩ ପାଲେଷ୍ଟାଇନୀ ପ୍ରାଣ ହରାଇଥିବା ବେଳେ ୧୧୩,୮୨୮ ଜଣ ଆହତ ହୋଇଛନ୍ତି।