ଇସ୍କନର ଅଦିନିଆ ରଥଯାତ୍ରା, ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ
ପୁରୀ: ଇସ୍କନରର ପୁଣି ମନମାନି । ଯେତେ ଯାହା କଲେ ବି ସୁଧୁରିବାର ନାଁ ନେଉନାହିଁ । ଜଗନ୍ନାଥଙ୍କ ନାଁରେ ଜଗା ଭକ୍ତଙ୍କ ଭକ୍ତିକୁ କରୁଛି କୁଠାରଘାତ । ଭକ୍ତି ନାଁରେ ଅଦିନିଆ ରଥଯାତ୍ରା କରି ଜଗନ୍ନାଥ ସଂସ୍କୃତିକୁ କରୁଛି କଳୁଷିତ । ଏବେ ଆମେରିକାରେ ଅଦିନିଆ ରଥଯାତ୍ରା କରିବାକୁ ଯାଉଛନ୍ତି ଇସ୍କନ କର୍ତ୍ତୃପକ୍ଷ । ଯାହାକୁ ନେଇ ବିବାଦ ଦେଖାଦେଇଛି ।
ଆସନ୍ତା ନଭେମ୍ବର ୩ ତାରିଖ ରବିବାର ଦିନ ସ୍ନାନଯାତ୍ରା ଓ ପରେ ୯ ତାରିଖରେ ହୋଷ୍ଟନରେ ରଥଯାତ୍ରା କରିବା ନେଇ ପ୍ରସ୍ତୁତି ଚଳାଇଛି ଇସ୍କନ । ଲିଜନ ପାର୍କରେ ଅଦିନିଆ ରଥଯାତ୍ରା କରାଯିବା ନେଇ ପ୍ରସ୍ତୁତି ଚାଲିଛି । ଯାହାକୁ ଶ୍ରୀଜଗନ୍ନାଥ ପ୍ରେମୀ ଓ ସେବାୟତ ତୀବ୍ର ନିନ୍ଦା କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଗଜପତି ଓ ଶଙ୍କରାଚାର୍ଯ୍ୟ ଏହି ଅଦିନିଆ ରଥଯାତ୍ରାରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।
ଶାସ୍ତ୍ର ଓ ପୁରାଣ ଅନୁଯାୟୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ । କିନ୍ତୁ ଇସ୍କନ ପକ୍ଷରୁ ବିଶ୍ୱବ୍ୟାପୀ ବିଭିନ୍ନ ସମୟରେ ଅଦିନିଆ ରଥଯାତ୍ରା କରାଯାଉଛି । ଯାହାର ତୀବ୍ର ନିନ୍ଦା ଓ ସମାଲୋଚନା ସତ୍ତ୍ବେ ଇସ୍କନ ଏଥିରୁ ଓହରୁ ନାହିଁ ।