ISIS ଆତଙ୍କବାଦୀ ଅବୁ ୟୁସୁଫ କରିଥିଲା କରୋଲବାଗରେ ବଡ ଧରଣର ଆକ୍ରମଣ ଷଡ଼ଯନ୍ତ୍ର
1 min readନୂଆଦିଲ୍ଲୀ: ISIS ଆତଙ୍କବାଦୀ ଅବୁ ୟୁସୁଫକୁ ପଚରା ଉଚରା ସମୟରେ ତା’ଠାରୁ ବଡ ତଥ୍ୟ ମିଳିଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ସାମ୍ନାରେ ପଚରାଉଚରା ସମୟରେ ସୋମବାର ଦିନ ସେ ଦିଲ୍ଲୀର କରୋଲବାଗରେ ଏକ ବଡ଼ ଧରଣର ବିସ୍ଫୋରଣ କରିବାକୁ ଚାହୁଁଥିଲା ବୋଲି ସ୍ୱୀକାର କରିଛି । କେବଳ ଏଇଥିପାଇଁ ସେ କରୋଲବାଗରେ ଲୁଚି ରହିଥିଲା । ସୁଯୋଗ ଦେଖି ଜନଗହଳି ସ୍ଥାନରେ କୁକର ବମ୍ ପ୍ଲାଣ୍ଟ କରି ବିସ୍ଫୋରଣ କରିବାର ଲକ୍ଷ୍ୟ ରଖିଥିଲା ଅବୁ ।
୨୨ ଅଗଷ୍ଟରେ ରାଜଧାନୀ ଦିଲ୍ଲୀରେ ଧୌଲାକୁଆଁ ଅଞ୍ଚଳରେ ଏନକାଉଣ୍ଟର ପରେ ଧରା ପଡ଼ିଥିଲା ଅବୁ ୟୁସୁଫ । ପୋଲିସର କହିବା ଅନୁଯାୟୀ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ସହିତ ଅବୁର ଯୋଗାଯୋଗ କହିଛି । ସୂଚନାଯୋଗ୍ୟ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ୨୨ ଅଗଷ୍ଟ ରାତିରେ ଧୌଲାକୁଆଁ ଓ କରୋଲବାଗକୁ ଯୋଡ଼ୁଥିବା ରିଜ୍ ରୋଡ଼ ନିକଟରେ ଏକନାଉଣ୍ଟର ପରେ ଅବୁକୁ ଗିରଫ କରିଥିଲା । ତା ନିକଟରୁ ଦୁଇଟି IED ଏବଂ ଏକ ବନ୍ଧୁକ ଜବତ କରିଥିଲା ପୋଲିସ। ସେହି ସମୟରେ ଅବୁ ଏକ ବାଇକ ସହିତ ଧରା ପଡ଼ିଥିଲା ଓ ତା ନିକଟରେ ୧୫ କିଲୋ ବିସ୍ଫୋଟକ ଥିଲା । ଅବଶ୍ୟ ପୋଲିସର କହିବା ଅନୁସାରେ ତା ନିକଟରୁ ପ୍ରେସର କୁକରରେ ତିଆରି IED ଜବତ ହୋଇଥିଲା ।
ଏହା ସହିତ ଅବୁ ଅନ୍ୟ ଏକ ବଡ଼ କଥାର ଖୁଲାସା କରିଛି । ପୋଲିସର ପଚରାଉଚରା ସମୟରେ ସେ କହିଛି କି ରାମ ମନ୍ଦିରର ଭୂମି ପୂଜନ ପରେ ISIS ଦେଶର କେତେକ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ କରିବା ପାଇଁ ଯୋଜନା କରୁଛି । ତେବେ ଭୂମି ପୂଜନର ଏକ ମାସ ମଧ୍ୟରେ ଏଭଳି ଆତଙ୍କ ଖେଳାଇବାର ଯୋଜନା କରାଯାଇଥିବା କହିଛି ଅଭିଯୁକ୍ତ ଅବୁ ୟୁସୁଫ୍ ।
ଖବର ଅନୁସାରେ ରାଜଧାନୀରେ ଆତଙ୍କ ସୃଷ୍ଟି କରିବା ପାଇଁ ଏକ ଆତଙ୍କବାଦୀ ପ୍ରବେଶ କରିଛି ବୋଲି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲକୁ ସୂଚନା ମିଳିଥିଲା । ଯାହାପରେ ପୋଲିସର ଏକ ଦଳ ଧୌଲାକୁଆଁ ନିକଟରେ ସନ୍ଦିଗ୍ଧକୁ ଧରିବା ପାଇଁ ଚେଷ୍ଟା କଲେ, କିନ୍ତୁ ସେ ଫାୟାରିଙ୍ଗ ଆରମ୍ଭ କରିଦେଲା । ଉଭୟ ପକ୍ଷରୁ ଗୁଳି ଚଳାଇବା ପରେ ଆତଙ୍କବାଦୀକୁ ଗିରଫ କରିବାରେ ସକ୍ଷମ ହେଲା ପୋଲିସ । ସ୍ୱତନ୍ତ୍ର ସେଲର ଡିସିପି ପ୍ରମୋଦ କୁଶବାହଙ୍କ କହିବା ଅନୁସାରେ ଧରା ପଡ଼ିଥିବା ଆତଙ୍କବାଦୀ ଅବୁ ୟୁସୁଫର ଇସଲାମିକ ଷ୍ଟେଟ୍ ସହିତ ସମ୍ପର୍କ ଓ ଯୋଗାଯୋଗ ଅଛି ।