ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ ପାଇଁ ISIL-Kର ଧମକ

1 min read

ନୂଆଦିଲ୍ଲୀ: ବଢିଲା ତାଲିବାନ ଓ ଆଇଏସଆଇଏଲ-କେ ସଂଗଠନ ମଧ୍ୟରେ ବିବାଦ । ତାଲିବାନକୁ ଏକ ଦୁର୍ବଳ ଶକ୍ତିଭାବେ ଆନ୍ତର୍ଜାତିକ ସ୍ତରରେ ପ୍ରତିପାଦିତ କରିବା ଲାଗି ଆଇଏସଆଇଏଲ-କେ ବିଭିନ୍ନ ଦେଶର ଦୂତାବାସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛି ବୋଲି ସୂଚନା ମିଳିଛି। ଆଫଗାନିସ୍ତାନରେ ଥିବା ଭାରତ, ଇରାନ ଓ ଚୀନର ଦୂତାବାସ ଉପରେ ଆକ୍ରମଣ କରିବା ଲାଗି ଧମକ ଦେଇଛି ଆଇଏସଆଇଏଲ-କେ ଆତଙ୍କବାଦୀ ସଂଗଠନ।

ତାଲିବାନ ସରକାର ସହ ପଡୋଶୀ ରାଷ୍ଟ୍ରଗୁଡିକର ସମ୍ପର୍କ ତିକ୍ତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରିବାକୁ ଆଇଏସଆଇଏଲ-କେ ସୁଚିନ୍ତିତ ଯୋଜନା କରୁଥିବା ଜଣାଯାଇଛି। ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଇସଲାମିକ ଷ୍ଟେଟ ଇନ ଇରାକ ଓ ଲେଭାଣ୍ଟ-ଖୋରାସାନ ସଂଗଠନ ବା ଆଇଏସଆଇଏଲ-କେ ପକ୍ଷରୁ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପ କରିବା ଲାଗି ଯୋଜନା କରାଯାଇଛି।

କେନ୍ଦ୍ର ଓ ଦକ୍ଷିଣ ଏସିଆରେ ବର୍ତ୍ତମାନ ଆଇଏସଆଇଏଲ-କେ ସଂଗଠନର ପ୍ରାଧାନ୍ୟ ବୃଦ୍ଧି ପାଇଛି। ଆନ୍ତର୍ଜାତିକ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ସୃଷ୍ଟି କରିବା ଲାଗି ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଉଛି। କାବୁଲରେ ଥିବା ବିଭିନ୍ନ ରାଷ୍ଟ୍ରର ଦୂତାବାସ ଉପରେ ହମଲା କରାଗଲେ ତାଲିବାନ ଓ ପଡୋଶୀ ରାଷ୍ଟ୍ରଗୁଡିକ ସହ ତାଲିବାନ ସରକାରର ସମ୍ପର୍କ ତିକ୍ତ ହେବ ବୋଲି ସଂଗଠନ ବିଚାର କରିଛି। ରିପୋର୍ଟରେ କୁହାଯାଇଛି- ଆଇଏସଆଇଏଲ-କେ ସଂଗଠନରେ ପ୍ରାୟ ୬ ହଜାର ସଦସ୍ୟ ରହିଛନ୍ତି ।