ଇଶାନ୍ତ ଶର୍ମାଙ୍କ ସହ ୨୯ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍
1 min read
ନୂଆଦିଲ୍ଲୀ: ଭାରତୀୟ ବୋଲର ଇଶାନ୍ତ ଶର୍ମାଙ୍କ ସମେତ ୨୯ ଖେଳାଳିଙ୍କ ନାମକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି । ମଙ୍ଗଳବାର ଖେଳ ମନ୍ତ୍ରାଳୟର ପୁରସ୍କାର ଚୟନ ସମିତି ଏନେଇ ସୁପାରିସ୍ କରିଥିବା ଜଣାପଡ଼ିଛି । ପୁରୁଷ ରିକର୍ଭ ତୀରନ୍ଦାଜ ଅତନୁ ଦାସ, ମହିଳା ହକି ଖେଳାଳି ଦୀପିକା ଠାକୁର, କ୍ରିକେଟର ଦୀପକ ହୁଡ୍ଡା ଓ ଟେନିସ୍ ଖେଳାଳି ଦିବିଜ୍ ସରଣଙ୍କ ନାଁ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି । ଚୟନ ସମିତି ବୈଠକ ପରେ ଅଧିକାରୀଙ୍କୁ ସୂତ୍ରରୁ ଏହା ଜଣାପଡ଼ିଛି ।

୩୧ ବର୍ଷୀୟ ଇଶାନ୍ତ ଶର୍ମା ଏବେ ଯାଏଁ ଭାରତ ପକ୍ଷରୁ ୯୭ଟି ଟେଷ୍ଟ ଓ ୮୦ଟି ଦିନିକିଆ ଖେଳି ସାରିଛନ୍ତି । ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୪୦୦ରୁ ଅଧିକ ୱିକେଟ୍ ଅକ୍ତିଆର କରିଛନ୍ତି ।

ଅଲମ୍ପିକରେ କାଂସ୍ୟ ପଦକ ଜିତିଥିବା ସାକ୍ଷୀ ମଲିକ ଓ ଭାରତ୍ତୋଳନରେ ପୂର୍ବରୁ ବିଶ୍ୱ ଚାମ୍ପିଅନ୍ ହୋଇଥିବା ମୀରାବାଇ ଚାନୁଙ୍କ ନାଁକୁ ମଧ୍ୟ ସମିତି ସମର୍ଥନ କରିଥିବା ଜଣାପଡ଼ିଛି । ତେବେ, ଶେଷ ନିଷ୍ପତ୍ତି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କ ଉପରେ ଛାଡ଼ି ଦିଆଯାଇଛି । କାରଣ ଦୁଇ ମହିଳା ଖେଳାଳିଙ୍କୁ ପୂର୍ବରୁ ଖେଳ ରତ୍ନ ପୁରସ୍କାର ମିଳି ସାରିଛି ।

୨୦୧୬ରେ ସାକ୍ଷୀ ରିୟୋ ଅଲମ୍ପିକରେ କାଂସ୍ୟ ପଦକ ଜିତିଥିଲେ । ତାପରେ ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେହିଭଳି ବିଶ୍ୱ ଚାମ୍ପିଅନରେ ସ୍ୱର୍ଣ୍ଣ ପଦକ ହାସଲ ପରେ ମୀରାବାଇ ଓ ୨୦୧୮ର ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଉଭୟଙ୍କୁ ଏହି ପୁରସ୍କାର ମିଳିଥିଲା ।