ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ କାହିଁକି ବାଦ୍ ପଡ଼ିଲେ ଇଶାନ?

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି । ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଥିବାବେଳେ ତାଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଏପରିକି ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ଖେଳୁନାହାନ୍ତି ଇଶାନ କିଶାନ । ନିୟମିତ ଭାରତୀୟ ଦଳରେ ସ୍ଥାନ ପାଉଥିବା ଇଶାନଙ୍କୁ ହଠାତ ଦଳରୁ ବାଦ ଦେବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି କି, ଇଶାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚରୁ ନିଜର ନାମକୁ ପ୍ରତ୍ୟାହାର କରିବା ତାଙ୍କୁ ମହଙ୍ଗା ପଡ଼ିଛି । ଚୟନକର୍ତ୍ତା ତାଙ୍କୁ ଦଳରେ ସ୍ଥାନ ନଦେବା ପଛରେ ଏହା ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଆଲୋଚନା ହୋଇଛି । ସେପଟେ ରାହୁଲ ଦ୍ରାବିଡ ଏହାକୁ ନେଇ କହିଛନ୍ତି କି, ସେ ଏବେ ଦଳରେ ଉପଲବ୍ଧ ନାହାନ୍ତି । ଘରୋଇ କ୍ରିକେଟ ଖେଳିପାରନ୍ତି । ତେବେ ଏଥିରୁ ସ୍ପଷ୍ଠଭାବେ ଜଣା ପଡ଼ୁଛି କି, ସେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କଲେ ଦଳରେ ସ୍ଥାନ ପାଇବେ ।

ଘରୋଇ କ୍ରିକେଟର ବଡ଼ ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ରଣଜୀ ଟ୍ରଫିରେ ନଜର ଆସିନାହାନ୍ତି ଇଶାନ କିଶାନ । ଝାଡ଼ଖଣ୍ଡ କ୍ରିକେଟ ଆସୋସିଏଓନ ପକ୍ଷରୁ ମଧ୍ୟ ସେମିତି କିଛି ସୂଚନା ମିଳିନାହିଁ । ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ନିଜର ନାମକୁ ପ୍ରତ୍ୟାହାର କରିଥିଲେ । ବସିସିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା କି, ସେ ବ୍ୟକ୍ତିଗତ କାରଣରୁ ନିଜର ନାମକୁ ପ୍ରତ୍ୟାହାର କରିଛନ୍ତି । ମାତ୍ର ଏହି ସମୟରେ ଇଶାନ ଧୋନୀଙ୍କ ସହ ଦୁବାଇରେ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଚର୍ଚ୍ଚା ହୋଇଥିବାବେଳେ ଏକ ଘେରାଇ ଚ୍ୟାନେଲକୁ ଇଣ୍ଟରଭିୟୁ ଦେବା ଅବସରରେ ସେ କିଛି ଅକୁହା କଥା କହିଥିବା ଦେଖିବାକୁ ମିଳିଥିଲା । କୁହାଯାଉଥିଲା କି, ସେ ଲଗାତାର ଭାରତୀୟ ଦଳରେ ସ୍ଥାନ ପାଉଥିଲେ ସୁଦ୍ଧା ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଉ ନଥିଲେ । ଏହି କାରଣରୁ ରାଗରେ ଦଳରୁ ନାମକୁ ପ୍ରତ୍ୟାହାର କରିଥିଲେ ।