ଠକ ସଂସ୍ଥା ସିଲିକନ୍ ଟେକ୍ କୁ କିଏ ଦେଇଥିଲା କ୍ଲିନ୍ ଚିଟ୍ ? ଠକେଇ ପାଇଁ ପୂର୍ବରୁ ତିଆରି ହୋଇଥିଲା କି ମାଷ୍ଟର ପ୍ଲାନ୍ ? ସେପଟେ ପୁଣି ଥରେ ଆଶାୟୀ ପରୀକ୍ଷାର୍ଥୀ ସିବିଆଇରେ ହାଜର । ଦିନ ଗଡ଼ିଲା, ଅଡ଼ୁଆ ବଢ଼ିଲା । ଆଶା କରାଯାଉଥିଲା ଚାର୍ଜସିଟ ଦାଖଲ ପରେ ହୁଏତ ତଦନ୍ତ ପ୍ରକ୍ରିୟା ଟିକେ ଶିଥିଳ ହୋଇଯିବ । କିନ୍ତୁ ଅତର୍କିତ ଭାବେ ସିବିଆଇ ସମନ ପାଇ ଭୁବନେଶ୍ୱର କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଆଶାୟୀ ପରୀକ୍ଷାର୍ଥୀ। ଦିନ ପ୍ରାୟ ୨ ଟା ୩୦ ରେ ହାଜର ପରେ ସେମାନଙ୍କୁ ଝାଳବୁହା ଜେରା କରାଯାଇଛି । ତାଙ୍କ ଠାରୁ ୨୫ ଲକ୍ଷ ଟଙ୍କା ବିନିମୟରେ ଠକେଇ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଇନପୁଟ ବି ପାଇଛି ସିବିଆଇ । ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଆଶାୟୀଙ୍କୁ ସମନ ହୋଇଥିବା ଜଣାପଡିଛି । ଶଙ୍କର ସୁରେଶ ସିଣ୍ଡିକେଟରେ କେମିତି ଫସିଥିଲେ ଆଶାୟୀ ? ପ୍ରକୃତରେ ଏ ସବୁ କଥା ଜାଣିବାକୁ ଆଶାୟୀଙ୍କୁ ମାରାଥନ ଜେରା କରାଯାଇଛି ।
ସେପଟେ ସାମ୍ନାକୁ ଆସିଥିବା ଏହି ଚିଠି ଉପରେ ଥରେ ନଜର ପକାନ୍ତୁ । ଚଞ୍ଚକତା କରି ଗିରଫ ହୋଇଥିବା ସିଲିକନ ଟେକ ପ୍ରତି କିଭଳି ଅନୁକମ୍ପା ଦେଖାଯାଇଥିଲା, ତାହା ବି ପଢି ରଖନ୍ତୁ । ସିଲିକନ୍ ଟେକ୍ ଲ୍ୟାବ ପ୍ରାଇଭେଟ ଲିମିଟେଡ STL କୁ କ୍ଲିନ୍ ଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚରୁ କ୍ୟାରେକ୍ଟର ସାର୍ଟିଫିକେଟ ପାଇବା ପରେ ପୋଲିସ SI ପରୀକ୍ଷା ପରିଚାଳନା କରିଥିଲା ସିଲିକନ୍ ଟେକ୍ ତଥା STL । ଏପରିକି କମ୍ପାନୀର ମୁଖ୍ୟ ସୁରେଶ ନାୟକ ଜଣେ ଭଦ୍ର ଓ ଜ୍ଞାନୀ ଲୋକ ବୋଲି ସାର୍ଟିଫିକେଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ । ଏପରିକି ଏହି ଚିଠି ଦର୍ଶାଉଛି ଯେ, ସିଲିକନ୍ ଟେକ୍ ଲ୍ୟାବ ପୂର୍ବରୁ ଜେଲ ୱାର୍ଡର ଓ ହାଇକୋର୍ଟ ASO ପରୀକ୍ଷା ପରିଚାଳନା କରିଥିଲା । ସିବିଆଇ ଚାର୍ଜସିଟ୍ କହୁଛି ୨୦୨୫ ମାର୍ଚ୍ଚ ମାସରୁ ପୋଲିସ SI ପରୀକ୍ଷା ଜାଲିଆତି ପାଇଁ ସମସ୍ତ ପ୍ରସ୍ତୁତି ସହ ଆଶାୟୀ ପରୀକ୍ଷାର୍ଥୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଆଦାୟ ହୋଇ ସାରିଥିଲା ।

