ସମ୍ବିଧାନରୁ ଧର୍ମନିରେପକ୍ଷ ଓ ସମାଜବାଦ ପରି ଶବ୍ଦ ହଟାଇ ହେବ କି, ଏଥିପାଇଁ କ’ଣ ରହିଛି ନିୟମ?

ଆରଏସଏସର ନେତା ଦତ୍ତାତ୍ରେୟ ହୋସବୋଲେ ଯେତେବେଳେ ସମ୍ବିଧାନର ପ୍ରସ୍ତାବନାରେ ଧର୍ମନିରେପକ୍ଷ ଓ ସମାଜବାଦୀ ଶବ୍ଦ ହଟାଇବା କଥା କହିଲେ, ସେତେବେଳେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତାଙ୍କ ମତରେ, ଏହି ଦୁଇ ଶବ୍ଦ ଭାରତୀୟ ସମ୍ବିଧାନରେ ନିର୍ମାଣ ସମୟରେ ନଥିଲେ । ପରେ ଏହାକୁ ଯୋଡ଼ା ଯାଇଛି । କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖର ମଧ୍ୟ ଏହି ମାମଲାକୁ ସମର୍ଥନ କରି କହିଛନ୍ତି, କୌଣସି ବି ଦେଶର ସମ୍ବିଧାନର ପ୍ରସ୍ତାବନାରେ ପରିବର୍ତ୍ତନ କରାଯାଏ ନାହିଁ । ମାତ୍ର ଜରୁରୀକାଳୀନ ସମୟରେ ଏହା କରାଯାଇଥିଲା, ଯାହାକି ଆଦୌ ଠିକ୍ ନୁହେଁ । ତେବେ କ’ଣ ଏହି ଦୁଇ ଶବ୍ଦକୁ ସମ୍ବିଧାନରୁ ହଟାଇ ହେବ ଓ ଏହାକୁ ନେଇ କ’ଣ ନିୟମ ରହିଛି?
ଏଠାରେ ଧର୍ମନିରପେକ୍ଷ ଓ ସମାଜବାଦ ଯେଉଁ ଦୁଇ ଶବ୍ଦର କଥା ଉଠୁଛି, ଏହି ପରିବର୍ତ୍ତନ ସମ୍ବିଧାନ ପ୍ରସ୍ତାବନାରେ କରାଯାଇଥିଲା । ଯେ କୌଣସି ସମ୍ବିଧାନର ପ୍ରସ୍ତାବନା ତା’ର ଆତ୍ମା ହୋଇଥାଏ । ଭାରତକୁ ଛାଡ଼ି କୌଣସି ବି ଅନ୍ୟ ସମ୍ବିଧାନର ପ୍ରସ୍ତାବନାରେ ପରିବର୍ତ୍ତନ ହୋଇନାହିଁ । ପ୍ରସ୍ତାବନା ସେହି ଆଧାର ହୋଇଥାଏ, ଯାହା ଉପରେ ସମ୍ବିଧାନ ବିକଶିତ କରାଯାଇଥାଏ । ଅନ୍ୟ ଶବ୍ଦରେ କହିଲେ ପ୍ରସ୍ତାବନା ସମ୍ବିଧାନର ବୀଜ ଅଟେ । ୧୯୭୬ରେ ୪୨ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଦ୍ବାରା ଏଥିରେ ପରିବର୍ତ୍ତନ କରାଯାଇଥିଲା ଓ ସେଥିରେ ସମାଜବାଦ, ଧର୍ମନିରପେକ୍ଷ ଓ ଅଖଣ୍ଡତା ପରି ଶବ୍ଦ ଯୋଡ଼ା ଯାଇଥିଲା ।
ସମ୍ବିଧାନର ପ୍ରସ୍ତାବନାରେ ପରିବର୍ତ୍ତନ କଥା ଯଦି କହିବା, ତେବେ ଏଥିରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ, ମାତ୍ର କିଛି ସୀମା ସହିତ । ସୁପ୍ରିମକୋର୍ଟଙ୍କ ଅନୁସାରେ, ପ୍ରସ୍ତାବନା ସମ୍ବିଧାନର ଅଂଶ ଅଟେ ଓ ଏଥିରେ ଅନୁଚ୍ଛେଦ ୩୬୮ ଅଧିନରେ ସଂଶୋଧନ କରାଯାଇପାରେ । ମାତ୍ର ସମ୍ବିଧାନର ମୂଳ ଢାଞ୍ଚାରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ସଂଶୋଧନ ମାଧ୍ୟମରେ ଏହି ଦୁଇ ଶବ୍ଦକୁ ହଟାଯାଇ ପାରିବ ।