ଅତୀତର ତିନିଟି ଯୁଦ୍ଧ ପରି ପୁଣି ଏକ ଯୁଦ୍ଧ ଲାଗି ଯୋଜନା କରୁଛି କି ପାକିସ୍ତାନ ?

1 min read

ନନ୍ଦିଘୋଷ ବ୍ୟୁରୋ : ଭାରତ ସହ ଯୁଦ୍ଧ କରିବା ଲାଗି ପାକିସ୍ତାନ ପ୍ରସ୍ତୁତ କି ? ଅତୀତର ତିନିଟି ଯୁଦ୍ଧ ପରି ପୁଣି ଏକ ଯୁଦ୍ଧ ଲାଗି ଯୋଜନା କରୁଛି କି ପାକିସ୍ତାନ ? ଦୁଇ ଦେଶ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଏବେ ଯୁଦ୍ଧ ହେବ କି ନାହିଁ ସେନେଇ କଳ୍ପନାଜଳ୍ପନା ଜାରି ରହିଛି । ତେଣେ ପ୍ରକୃତରେ ଭାରତ ସହ ଯୁଦ୍ଧ ଲାଗି ପାକିସ୍ତାନ ଅସମର୍ଥ ବୋଲି ଜଣାଯାଇଛି । ଅର୍ଥନୈତିକ ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନର ଋଣ ପରିମାଣ ବର୍ତ୍ତମାନ ରହିଛି ୨୨ ବିଲିୟନ ଡଲାର । ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ପରିମାଣ ବି ନଗଣ୍ୟ ୮ ବିଲିୟନ ଡଲାର ରହିଛି । ଆମଦାନୀ ଲାଗି ଏହି ଅର୍ଥ ମାତ୍ର ଦେଢ ମାସର ଭରଣା କରିବ । ଯଦି ଯୁଦ୍ଧ ହୁଏ ତେବେ ଋଣ କରିବାକୁ ପାକିସ୍ତାନ ବାଧ୍ୟ ହେବ ଯାହା ବର୍ତ୍ତମାନ ସ୍ଥିତିରେ ସମ୍ଭବ ନୁହେଁ । ସେପଟେ ପାକିସ୍ତାନୀ ମୁଦ୍ରାର ଘୋର ଅବମୂଲ୍ୟାୟନ ହୋଇଛି । ଡଲାର ତୁଳନାରେ ପାକ୍ ଟଙ୍କାର ମୂଲ୍ୟ ରହିଛି ୩୦୮ । ଖୁବ୍ ଶୀଘ୍ର ଏହା 400ରେ ପହଞ୍ଚିବ ବୋଲି ଆଶଙ୍କା କରାଗଲାଣି । ଏହା ଯୋଗୁ ଆମଦାନୀ ଉପରେ ନିର୍ଭର କରୁଥିବା ଇନ୍ଧନ, ଔଷଧ, ଖାଦ୍ୟପଦାର୍ଥର ଦର ଆକାଶଛୁଆଁ ହେବାରେ ଲାଗିଛି । ତେଣେ କଠୋର ସର୍ତ୍ତରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି। ଯେଉଁ ୩ ବିଲିୟନ ଡଲାର ଦେଇଛି ତାହାକୁ ଜଗିରଖି ଖର୍ଚ୍ଚ କରିବା ପାକିସ୍ତାନ ଲାଗି ବଡ଼ ଚାଲେଞ୍ଜ ହେବ । ସର୍ତ୍ତରେ ଉଲ୍ଲଂଘନ ହେଲେ ଆଇଏମଏଫ ବି ଆଉ ସହାୟତା ଦେବ ନାହିଁ । ତେଣେ ଆର୍ମି ଚିଫ ଜେନେରାଲ ଆସିମ ମୁନୀରଙ୍କ ଯୁଦ୍ଧବାଦୀ ଆଭିମୁଖ୍ୟ ଦେଶକୁ ବିପଦରେ ପହଞ୍ଚାଇପାରେ । ଯୁଦ୍ଧ ହେଲେ ଯେ ପାକିସ୍ତାନର ଆଣବିକ ଚାବି ଆତଙ୍କୀଙ୍କ ହାତକୁ ଚାଲିଯିବାର ଆଶଙ୍କା ରହିଛି । ସେହିପରି ଯୁଦ୍ଧ ହେଲେ ଚୀନ, ସାଉଦିଆରବ ଓ ୟୁଏଇ ଆର୍ଥିକ ସହାୟତା ବନ୍ଦ କରିବେ । ଯୁଦ୍ଧ ହେଲେ ୨ ବିଲିୟନ ଡଲାରର ଭାରତ-ପାକିସ୍ତାନ ବାଣିଜ୍ୟ ବାଧାପ୍ରାପ୍ତ ହେବ । ଭାରତରୁ ଆମଦାନୀ ହେଉଥିବା ଔଷଧ, ରାସାୟନିକ ପଦାର୍ଥ ଅଭାବରେ ପାକିସ୍ତାନ ଗଭୀର କ୍ଷତି ସହିବ । ସେହିପରି ପାକିସ୍ତାନର ସାମୁଦ୍ରିକ ବାଣିଜ୍ୟ ବି କ୍ଷତିଗ୍ରସ୍ତ ହେବ । ଯୁଦ୍ଧ ହେଲେ ପାକିସ୍ତାନର ପ୍ରାୟ ୨୦ ନିୟୁତ ଲୋକ ବିସ୍ଥାପିତ ହେବା ଆଶଙ୍କା ରହିଛି । ବିଦେଶରେ ରହୁଥିବା ୮୦ ଲକ୍ଷ ପାକିସ୍ତାନୀଙ୍କ ସମ୍ପତ୍ତି ବି ସିଜ୍ ହେବା ସହ ସେମାନଙ୍କୁ ନିଜ ଦେଶକୁ ଫେରାଇଦେବା ପରି ସମସ୍ୟା ଉପୁଜିବ । ଏହା ଯୋଗୁ ପାକିସ୍ତାନକୁ ବାର୍ଷିକ ୩୧ ବିଲିୟନ ଡଲାର କ୍ଷତି ସହିବାକୁ ପଡ଼ିବ ।