ଫସିରେ କାମର ଚାପ ନେଉଛି ଜୀବନ, ସେବାସ୍ତିଏନଙ୍କ ମୃତ୍ୟୁ ସୃଷ୍ଟି କରିଛି ନୂଆ ବିତର୍କ

ଭୁବନେଶ୍ବର: କର୍ମକ୍ଷେତ୍ରର ଚାପ ନେଉଛି ଜୀବନ । ୨୬ ବର୍ଷୀୟ ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍ ଆନା ସେବାସ୍ତିଏନ ପେରାୟିଲଙ୍କ ମୃତ୍ୟୁ ନୂଆ ବିତର୍କ ସୃଷ୍ଟି କରିଛି । ପ୍ରସିଦ୍ଧ ଲାନସେଟ୍ ପତ୍ରିକାର ରିପୋର୍ଟ ଅନୁଯାୟୀ ଚାପଗ୍ରସ୍ତ ହୋଇ କାମ କଲେ ଅନିଦ୍ରା ରୋଗ ବଢୁଛି । ଏହା ସହିତ ଫାଷ୍ଟଫୁଡ୍, ଘଣ୍ଟା ଘଣ୍ଟା କାଳ ବସି ରହିବା ଯୋଗୁଁ ହୃତପିଣ୍ଡ ଠିକରେ କାମ କରୁନି । ଏହି ମାନସିକ ଚାପ ରାକ୍ଷସ କବଳରୁ ରକ୍ଷା ପାଇବାର ଉପାୟ କ’ଣ ?  ବିଶେଷଜ୍ଞଙ୍କ ମତରେ ଅଫିସରେ ଏକାଥରକେ ଅଧଘଣ୍ଟା କାମ କରିବା ପରେ ଅନ୍ୟୁନ ୨ ମିନିଟ୍ ବୁଲିବା ଦରକାର । ଦୈନିକ ଯୋଗ କି ବ୍ୟାୟାମ କରିବା ସହିତ ସାଙ୍ଗ ଓ ବନ୍ଧୁମାନଙ୍କ ସହ ମିଳାମିଶା କଲେ ମାନସିକ ଚାପଗ୍ରସ୍ତରୁ ମୁକ୍ତି ମିଳିବ ।

ଜୀବନ ନେଉଛି ଅଫିସର ଅଧିକ ମାନସିକ ଚାପ । କାମ କରି କରି ଅକାଳରେ ଚାଲିଗଲା ୨୬ ବର୍ଷୀୟ ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍ ଆନା ସେବାସ୍ତିଏନଙ୍କ ଜୀବନ । ଆନ୍ନାଙ୍କ ମୃତ୍ୟୁ ପରେ କମ୍ପାନୀ ମୁଖ୍ୟଙ୍କୁ ଆନ୍ନାଙ୍କ ମାଆ ଲେଖିଥିବା ଚିଠି ପରେ କର୍ପୋରେଟ କଲଚର୍ ନେଇ ବିତର୍କ ଆରମ୍ଭ ହୋଇଛି ।

ଅଫିସର ହୁଅନ୍ତୁ କି ସାଧାରଣ କର୍ମଚାରୀ ସପ୍ତାହକୁ ୫୫ରୁ ୫୬ ଘଣ୍ଟା କାମ କରିବା ସ୍ବାଭାବିକ । ତାଠୁ ଅଧିକ ସମୟ କାର୍ଯ୍ୟ କଲେ ଶରୀର ଓ ମନ ବିଚଳିତ ହେଉଛି । ଏ ନେଇ ସତର୍କ କରାଇଛନ୍ତି ବିଶେଷଜ୍ଞ । ଲାନେସଟ୍ ପତ୍ରିକାରେ ପ୍ରକାଶିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନୂଆ ଗବେଷଣା ତଥ୍ୟ ଅନୁଯାୟୀ ବିଶ୍ବରେ ୪୮ କୋଟି ୮୦ ଲକ୍ଷ ବ୍ୟକ୍ତି ୫୫ ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି । ଅତ୍ୟଧିକ ମାନସିକ ଚାପରେ ବର୍ଷକୁ ପ୍ରାୟ ଯାଉଛି ୭ ଲକ୍ଷ ୪୫ ହଜାର ଲୋକଙ୍କ ଜୀବନ । ଅଧିକ ସମୟ ଧରି ଚାପଗ୍ରସ୍ତ କରି କାମ କଲେ ୧୩ ପ୍ରତିଶତ ହୃଦଘାତ ହେବାର ସମ୍ଭାବନା ଥିବା ବେଳେ ୩୩ ପ୍ରତିଶତ ମସ୍ତିଷ୍କ ଆଘାତ ହେବାର ସମ୍ଭାବନା ରହିଛି । ଅଫିସରେ ଖାଲି ବସି ରହି କାମ କଲେ ମଧୁମେହ, ମୋଟା ହେବା ଯୋଗୁଁ ହୃତପିଣ୍ଡର କାର୍ଯ୍ୟ ଓ ରକ୍ତ ସଂଚାଳନରେ ବାଧା ସୃଷ୍ଟି ହୋଇଥାଏ । ନିଜ କାମରେ ସନ୍ତୁଷ୍ଟ ନଥିବା ଲୋକଙ୍କ ସଂଖ୍ୟା ଏବେ ଭାରତରେ ଅଧିକ । ପଦୋନ୍ନତି, ବେକାରୀ, ଅଧିକ ଅର୍ଥ ରୋଜଗାର କରିବା ଚିନ୍ତାରେ ୭୬ ପ୍ରତିଶତ ଲୋକ ଅନିଦ୍ରା ରୋଗରେ ପୀଡ଼ିତ । ଗବେଷଣାରୁ ଜଣାପଡ଼ିଛି ବିଶ୍ବରେ ମାତ୍ର ୧ରୁ ୩ ପ୍ରତିଶତ ଲୋକ ରାତିରେ ୭ରୁ ୮ ଘଣ୍ଟା ସୁନିଦ୍ରାରେ ଶୋଉଛନ୍ତି । ଚିନ୍ତାରୁ ମୁକ୍ତି ପାଇଁ ଯେଉଁମାନେ ମଦ୍ୟପାନ, ସିଗାରେଟ ପିଉଛନ୍ତି ସେଥିରେ ପ୍ରଭାବିତ ହେଉଛି କିଡନି, ଲିଭର, ହୃତପିଣ୍ଡ ।

ସରକାରୀ ଅଫିସ ହେଉକି କର୍ପୋରେଟ୍ କି ଘରୋଇ କାମ । ଆଜି କାଲି ଅଧିକାଂଶ କର୍ମଚାରୀ ଅଫିସ ପରିବେଶକୁ ନେଇ ଡିପ୍ରେସନର ଶିକାର ହେଉଛନ୍ତି । କେତେବେଳେ ସହକର୍ମୀଙ୍କ ସହ ମତଭେଦ ଯୋଗୁଁ କେତେକ କର୍ମଚାରୀ ନିଜ କାମ ଠିକ ଭାବେ କରିପାରୁନାହାନ୍ତି । ଭଲ କାମ କରୁଥିବା କର୍ମଚାରୀ ଅବହେଳାର ଶିକାର ହେଉଥିବାବେଳେ କମ୍ କାମ କରି କିଛି କର୍ମଚାରୀ ପଦୋନ୍ନତି ପାଉଛନ୍ତି । ଏପରି ଅବସ୍ଥା ଭଲ କାମ କରୁଥିବା କର୍ମଚାରୀର ମାନସିକ ଅବସ୍ଥା ବିଗାଡ଼ି ଦେଉଛି । ଯେଉଁଥିପାଇଁ ସେ ଅନିଦ୍ରା ରୋଗର ଶିକାର ହେଉଛନ୍ତି । ଘରେ ପତ୍ନୀ କିମ୍ବା ପିଲାମାନଙ୍କ ପାଠପଢା ଓ ସୌହର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଅଭାବ ହେଲେ ଟେନସନ ବଢି ଯାଉଛି । ଫଳରେ ସମ୍ପୃକ୍ତ ବ୍ୟକ୍ତି ଚିନ୍ତଗ୍ରସ୍ତ ହୋଇ ମାନସିକ ସନ୍ତୁଳନ ହରାଉଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଲଗାତର ଅଧଘଣ୍ଟା ଅଫିସ ସିଟରେ ବସିବା ପରେ ଅନ୍ୟୁନ ୨ ମିନିଟ ପାଇଁ ଚାଲବୁଲ କରିବା ଉଚିତ । ସକାଳ ହେଉ କି ସନ୍ଧ୍ୟା ନିୟମିତ ବ୍ୟାୟାମ କରିବା ଦ୍ବାରା ରକ୍ତ ସଞ୍ଚାଳନ ଠିକ ରୁହେ । ବାହାର ଖାଦ୍ୟ ବିଶେଷ କରି ଫାଷ୍ଟଫୁଡ, ଜଙ୍କ ଫୁଡ୍ ନ ଖାଇ ଘରେ ରୋଷେଇ ହେଉଥିବା ସନ୍ତୁଳିତ, ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ଦରକାର । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବନ୍ଧୁଙ୍କ ସହ ଗୁଲିଖଟି, ମନଖୋଲା ହସ, ଥଟ୍ଟା ଉପହାସ ବି ମାନସିକ ଚାପ କମ କରିବାରେ ସହାୟକ ହୋଇଥାଏ ବୋଲି କହିଛନ୍ତି ବିଶେଷଜ୍ଞ ।

ଆଜିକାଲିର ପ୍ରତିଯୋଗିତା ମୂଳକ ଯୁଗରେ ସମସ୍ତେ ଚାହାନ୍ତି ତ୍ବରିତ କାର୍ଯ୍ୟ । ଅଫିସରେ କାର୍ଯ୍ୟରତ କର୍ମଚାରୀଟି ଯଦି ତାର କାମକୁ ସୁସ୍ଥ ମନରେ ଉପଭୋଗ ନ କରିପାରିବ ତା’ହେଲେ କାମ କେବେ ବି ଭଲ ହୋଇପାରିବ ନାହିଁ । ଏଥିପାଇଁ କମ୍ପାନୀ ମାଲିକ, ଅଫିସ କର୍ତ୍ତୃପକ୍ଷ ସୁସ୍ଥ ମାନବସମ୍ବଳ ଧାରାକୁ ଆପଣାଇବା ଦରକାର ବୋଲି ଚିକିତ୍ସକ ପରାମର୍ଶ ଦେଇଛନ୍ତି ।