ଅଶୁଭ ଅକ୍ଟୋବର ଶୁକ୍ରବାର: ଓଡ଼ିଶା ସାମ୍ନା କରିଛି ଏକାଧିକ ବାତ୍ୟା, ଭାଙ୍ଗି ଦେଇଛି ମେରୁଦଣ୍ଡ, ନେଇଛି ହଜାର ଜହାର ମୁଣ୍ଡ

ଭୁବନେଶ୍ବର: ଓଡ଼ିଶା ପାଇଁ ଅଶୁଭ କି ଶୁକ୍ରବାର ? ଓଡ଼ିଶାକୁ ସୁହାଉନି କି ଶୁକ୍ରବାର ? କାରଣ ସମାନ ବାରରେ ଓଡ଼ିଶା ସାମ୍ନା କରିଛି ଏକାଧିକ ବାତ୍ଯା ବିପତ୍ତି । ଥରେ ନୁହେଁ କି ଦୁଇଥର ନୁହେଁ । ୧୯୯୯ ମସିହାରୁ ଆଜି ଯାଏଁ ୩ ଥର ଶୁକ୍ରବାରରେ ହିଁ ଓଡ଼ିଶାକୁ ମାଡ଼ ହୋଇଛି ବାତ୍ଯା ।

ଇତିହାସକୁ ଦେଖିଲେ ୧୯୯୯ ମସିହା ଶୁକ୍ରବାର ଦିନରେ ହିଁ ଓଡ଼ିଶାରେ ତାଣ୍ଡବ ଚରିଥିଲା ପ୍ରକୃତି । ଓଡ଼ିଶାକୁ ଛାରଖାର କରିଦେଇଥିଲା ମହାବାତ୍ଯା । ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡ଼ିଥିଲେ । ଜୀବନଜନ୍ତୁଙ୍କ ଜୀବନହାନୀର ହିସାବ ନାହିଁ ।

ଏହାର ୨୦ ବର୍ଷ ପରେ ୨୦୧୯ ମସିହା ମେ’ ୩ ତାରିଖରେ ପୁଣି ଓଡିଶାରେ ତାଣ୍ଡବ ରଚିଥିଲା ଆଉ ଏକ ବାତ୍ଯା ‘ଫନି’ । ଏହିଦିନ ବି ଥିଲା ଶୁକ୍ରବାର । ବାତ୍ୟା ‘ଫନି’ ଓଡ଼ିଶାକୁ ମାଡ଼ ହୋଇଥିବା ବେଳେ ପୁରୀ ସହ ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଜିଲ୍ଲାରେ ତାଣ୍ଡବ ରଚିଥିଲା । ୧୯୯୯ରୁ ୨୦୧୯ ଭିତରେ ଫାଇଲିନ୍, ହୁଡ୍ହୁଡ୍, ତିତଲି ପରି ବାତ୍ୟାର ସାମ୍ନା କରିଥିଲା ଓଡ଼ିଶା । ହେଲେ ଏହି ସବୁ ବାତ୍ୟାରେ ଯେତିକି ଧନଜୀବନ କ୍ଷୟକ୍ଷତି ହୋଇ ନଥିଲା କେବଳ ‘ଫନି’ରେ ତାହା ଘଟିଥିଲା । ବାତ୍ଯାରେ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ସହର ଛାରଖାର ହୋଇଯାଇଥିଲା । ଏକଦମ ଶ୍ରୀହୀନ ହୋଇଯାଇଥିଲା ଶ୍ରୀକ୍ଷେତ୍ର । ରାଜଧାନୀ ଭୁବନେଶ୍ବର ବି ଅନ୍ଧାରରେ ବିଡ଼ିଯାଇଥିଲା ।

ଏହାର ୫ ବର୍ଷ ପରେ ପୁଣି ସେଇ ଶୁକ୍ରବାରର କାଳ ରାତି ପରି ଓଡ଼ିଶା ଉପରେ ମାଡ଼ ଆସିଛି । ଆଉ ଓଡ଼ିଶାକୁ ହିଟ୍ କରିଛି ଭୀଷଣ ବାତ୍ଯା ‘ଦାନା’ । ଶୁକ୍ରବାରରେ ଭିତରକନିକା ନିକଟ ହବାଳିଖଟିରେ ସ୍ଥଳଭାଗ ଛୁଇଁଛି ବାତ୍ଯା । ନିଜର କରାଳ ରୂପ ଦେଖାଇ ଆଭ୍ୟନ୍ତରୀଣ ଓଡ଼ିଶା ଭିତରକୁ ପ୍ରବେଶ କରି ବ୍ଯାପକ କ୍ଷତି ଘଟାଉଛି । ଏହାକୁ ଦେଖିଲେ ମନରେ ପ୍ରଶ୍ନ ଉଙ୍କି ମାରୁଛି, ସତରେ କି ଅକ୍ଟୋବର ଶୁକ୍ରବାର ଓଡ଼ିଶା ପାଇଁ ଅଶୁଭ ।