କୁଚିଣ୍ଡା ଗଣ ଦୁଷ୍କର୍ମ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଥିଲା କି ପୋଲିସ ?

କୁଚିଣ୍ଡା: କୁଚିଣ୍ଡା ଗଣ ଦୁଷ୍କର୍ମ ମାମଲାର ଗୁମର ଧୀରେ ଧୀରେ ସାମ୍ନାକୁ ଆସୁଛି । ଘଟଣାକୁ ଚପାଇ ଦେବାକୁ ପ୍ରୟାସ କରୁଥିଲା କି ପୋଲିସ ? କେଉଁ ସ୍ବାର୍ଥ ନେଇ ନାବାଳିକା ଗଣ ଦୁଷ୍କର୍ମ ଘଟଣାକୁ ସାମ୍ନାକୁ ଆଣୁ ନଥିଲା କୁଚିଣ୍ଡା ପୋଲିସ ? ଏମିତି ପ୍ରଶ୍ନ ଉଠୁଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ପାଇଁ ବିଜେଡିର ଏକ ପ୍ରତିନିଧି ଦଳ ସମ୍ବଲପୁର ଏସପିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛି ।

ଗତ ୧୫ ତାରିଖରେ ନାବାଳିକାକୁ ଅପହରଣ ଓ ଗଣ ଦୁଷ୍କର୍ମ ପରେ ବି ପୋଲିସ ଅତି ହାଲକା ଭାବେ ନେଉଥିଲା ଘଟଣାକୁ । ମାତ୍ର ଏହି ଘଟଣାରେ ବିଜେଡିର ଦାବି ପରେ ମୁଖ୍ୟ ଅଭିଯୁକ୍ତ ହରିହର ପାଣିକୁ ତୁରନ୍ତ ଗିରଫ କରିଥିଲା ପୋଲିସ । ପ୍ରଶ୍ନ ଉଠୁଛି, କୁଚିଣ୍ଡା ପୋଲିସ କାହା ଇଙ୍ଗିତରେ କାମ କରୁଛି ? କାହା ଚାପରେ ଚାପି ହୋଇ ରହିଛି ପୋଲିସ ? ଖୋଦ୍ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ଘର ପାଖରେ ଘଟଣା ଘଟିଲା । କିନ୍ତୁ ଏହି ଘଟଣା ନେଇ ଥରୁଟିଏ ବି ମୁଁହ ଖୋଲିଲେନି ମନ୍ତ୍ରୀ । ପରିବାର ଲୋକଙ୍କୁ ଥରେ ବି ଭେଟି ନାହାନ୍ତି ମନ୍ତ୍ରୀ । ଯାହାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରୁଛି ।