ସିଏସକେ ସହ ସମ୍ପର୍କ ତୁଟାଇଲେ କି ଜାଡେଜା ?

ନୂଆଦିଲ୍ଲୀ: ଏବେ ଆଇପିଏଲ ଚାଲୁନି ହେଲେ ସିଏସକେ ଖବରରେ ରହୁଛି । କାରଣ ଚେନ୍ନାଇ ସୁପର କିଙ୍ଗସ୍ ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ କିଛି ଠିକ୍ ଚାଲୁନି । ଏମିତି ସ୍ଥିତିରେ ଚେନ୍ନାଇଠାରୁ ଜାଡେଜା ସମ୍ପର୍କ କାଟି ଦେଲେ କି ପ୍ରଶ୍ନ ଉଠିବାରେ ଲାଗିଛି । ଏମିତି କିଛି ପ୍ରଶ୍ନ ଜାଡେଜାଙ୍କ ପାଇଁ ଉଠିବାରେ ଲାଗିଛି । ନିକଟରେ ଜାଡେଜା ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରୁ କିଛି ଫଟୋ ଡିଲିଟ୍ କରିଛନ୍ତି । ଆଉ ଏସବୁ ଫଟୋ ସିଏସକେର ବୋଲି ଜଣାପଡିଛି । ଯାହାକୁ ନେଇ ଜାଡେଜା ଓ ସିଏସକେ ମଧ୍ୟରେ କିଛି ଠିକ୍ ଚାଲୁ ନଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ଏମିତି ଚର୍ଚ୍ଚା ଉପରେ ସିଏସକେ ପକ୍ଷରୁ ବିବୃତ୍ତି ଦିଆଯାଇଛି । ସିଏସକେର ଜଣେ ଅଧିକାରୀ କହିଛନ୍ତି ସୋସିଆଲ ମିଡ଼ିଆରେ କୌଣସି ପୋଷ୍ଟ ଡିଲିଟ କରିବା ତାଙ୍କ (ଜାଡେଜା) ବ୍ୟକ୍ତିଗତ ନିଷ୍ପତ୍ତି । ଆମ ତରଫରୁ ସବୁ ଠିକଠାକ ଅଛି, କିଛି ସମସ୍ୟା ନାହିଁ ।

ସୂଚନାଯୋଗ୍ୟ, ଗତ ଆଇପିଏ ପରଠାରୁ ଜାଡେଜା ଓ ସିଲସକେ ମଧ୍ୟରେ ବିବାଦ ଥିବା ଖବର ଆସୁଛି । ଚଳିତ ଆଇପିଏଲରେ ଜାଡେଜାଙ୍କୁ ସିଏସକେ ଅଧିନାୟକ କରିଥିଲା । ହେଲେ ଦଳର ପ୍ରଦର୍ଶନ ଖରାପ ହେବାରୁ ତାଙ୍କ ହଟାଇ ଦିଆଯାଇଥିଲା । ଏହାପରେ ଆହତ କାରଣରୁ ଜାଡେଜା ଆଇପିଏଲରୁ ଓହରି ଯାଇଥିଲେ ।

ଚଳିତବର୍ଷ ଜୁଲାଇ ୭ରେ ଧୋନୀଙ୍କ ଜନ୍ମଦିନରେ ମଧ୍ୟ ସୋସିଆଲ ମିଡିଆରେ ଜାଡେଜା କୌଣସି ପୋଷ୍ଟ କରିନଥିଲେ । ଏମିତି ସ୍ଥିତିରେ ସବୁ ଖିଅକୁ ଯୋଡ଼ି ଧୋନୀ, ଜାଡେଜା ଏବଂ ସିଏସକେ ମଧ୍ୟରେ ସବୁ କିଛି ଠିକ ନାହିଁ ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଥିଲା ।