ଜୀବନ ଉତ୍ସର୍ଗ ଲାଗି କର୍ମୀଙ୍କୁ ହେଜବୁଲ୍ଲା ମୁଖ୍ୟଙ୍କ ଆହ୍ବାନ, ଅସ୍ତ୍ରବିରତି ପାଇଁ ମନାକଲେ ନେତ୍ୟାନାହୁ

ଗାଜା: ବଡ଼ ଯୁଦ୍ଧ ଲାଗି ହେଜବୁଲ୍ଲା ମୁଖ୍ୟଙ୍କ ବଡ଼ ଆହ୍ବାନ । ଯୁଦ୍ଧରେ ଜୀବନ ଉତ୍ସର୍ଗ ଲାଗି ହେଜବୁଲ୍ଲା ମୁଖ୍ୟ ସୟଦ ହାସନ ନସରାଲ୍ଲା କର୍ମୀଙ୍କୁ ଦେଇଛନ୍ତି ଆହ୍ବାନ । ହମାସର ଯୁଦ୍ଧ ସମ୍ପୂର୍ଣ୍ଣ ଭାବେ ପାଲେଷ୍ଟାଇନ ଲାଗି ବୋଲି ସେ କହିଛନ୍ତି । ସେପଟେ ସାମୟିକ ଅସ୍ତ୍ରବିରତି ଲାଗି ଆମେରିକାର ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ପଣବନ୍ଦୀଙ୍କ ମଧ୍ୟରୁ ୭୪ଜଣ ଆମେରିକୀୟ ପଣବନ୍ଦୀ ପହଞ୍ଚିଛନ୍ତି ଇଜିପ୍ଟରେ । ତେଣେ ପଣବନ୍ଦୀଙ୍କ ମୁକ୍ତି ଲାଗି ହମାସ ସହ ଆଲୋଚନ କରିଛି ଥାଇଲାଣ୍ଡ । ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁଙ୍କ ସହ ଆଲୋଚନା କରିଥିଲେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ । ସେପଟେ ନିଜ ଦେଶର ସୁରକ୍ଷା ଲାଗି ଉତ୍ତର ସୀମାରେ ଶତ୍ରୁଙ୍କୁ କଡା ଜବାବ ଦିଆଯିବ ବୋଲି କହିଛନ୍ତି ନେତାନ୍ୟାହୁ ।

ସେପଟେ ଇସ୍ରାଏଲ ସୀମାରେ ଗର୍ଜିଛି ଏୟାର ରେଡ ସାଇରନ । ଫଳରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଆତଙ୍କ । ଇସ୍ରାଏଲ ଆକ୍ରମଣରେ ହମାସର ଦୁଇ କମାଣ୍ଡର ପ୍ରାଣ ହରାଇଛନ୍ତି । ତେଣେ ଗାଜା ଉପରେ ସର୍ଭେଲାନ୍ସ ଡ୍ରୋନ ଉଡାଇଛି ଆମେରିକା । ପଣବନ୍ଦୀଙ୍କ ସୁରାକ ଲାଗି କରିଛି ଡ୍ରୋନ ବ୍ୟବହାର । ତେଣେ ପାଲେଷ୍ଟାଇନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚେନ୍ନାଇରେ ହୋଇଛି ମହମବତି ରାଲି । ସେହିପରି ଲଦାଖରେ ବି ପାଲେଷ୍ଟାଇନ ସପକ୍ଷରେ ହୋଇଛି ରାଲି ।