ଚନ୍ଦ୍ରରେ ଚୀନ୍‌ କରିବ ପରିବା ଚାଷ?

1 min read

ନୂଆଦିଲ୍ଲୀ:   ଗ୍ରହ ଉପଗ୍ରହକୁ ନେଇ ଜାରି ରହିଛି ନାନା ଗବେଷଣା । ଟାର୍ଗେଟରେ କେବେ ମଙ୍ଗଳ ତ କେବେ ଚନ୍ଦ୍ର । ହେଲେ କ’ଣ ଚନ୍ଦ୍ରରେ ମଣିଷ ରହିବାର ସ୍ୱପ୍ନ ସତ ହେବ? ନା ପୁସ୍ତକରେ ପଢିଥିବା ଜହ୍ନମାମୁଁ କଥା ସବୁଦିନ ପାଇଁ କାହାଣୀ ହୋଇ ରହିଯିବ? ଏମିତି ଅନେକ ପ୍ରଶ୍ନ ମଣିଷକୁ ଦ୍ୱନ୍ଦରେ ପକାଉଥିବା ବେଳେ ଚନ୍ଦ୍ରରେ ପରିବା ଚାଷ କରିବା ପାଇଁ ଅଣ୍ଟା ଭିଡ଼ିଲାଣି ଚୀନ୍? ତେବେ ଏହା ପଛର ବାସ୍ତବ କାରଣ କ’ଣ? ସତରେ କ’ଣ ଚୀନ ଏଭଳି ପଦକ୍ଷେପ ନେଇଛି?

ଚୀନ ମୁନ ମିଶନ ଦ୍ୱାରା ଜହ୍ନରୁ ନମୁନା ଆଣିବାରେ ସଫଳ ହୋଇ ସାରିଛି । କିନ୍ତୁ କ’ଣ ତା’ର ଲକ୍ଷ୍ୟ ପୂରା ହୋଇଛି? ଚନ୍ଦ୍ରରୁ ଚୀନ ଯେଉଁ ନମୁନା ଆଣିଛି ତାହାକୁ ନେଇ ଏବେ ଆରମ୍ଭ ହେବ ଗବେଷଣା । ଏହାପରେ ଖୋଲିବ ଗୋଟିଏ ପରେ ଗୋଟିଏ ରାଜ୍ । ଚନ୍ଦ୍ରରେ ମଣିଷ ରହିବା କେତେଦୂର ସମ୍ଭାବନା ରହିଛି? ସେଠାରେ ପରିବା ଚାଷ ହୋଇପାରିବ କି ନାହିଁ? ଏଭଳି ଅନେକ ପ୍ରଶ୍ନ ।

ସଫଳତାପୂର୍ବକ ପୃଥିବୀକୁ ଫେରିଛି ଚାଙ୍ଗ୍-ଇ-୫ ମିଶନ । ଚନ୍ଦ୍ରରୁ ନମୁନା ସଂଗ୍ରହ କରିପାରିଥିବା ଦେଶ ମଧ୍ୟରେ ତୃତୀୟ ସ୍ଥାନ ନେଇଛି ଚୀନ୍ । ୪୪ ବର୍ଷ ପୂର୍ବେ ଋଷ୍ ଶେଷଥର ପାଇଁ ଏହି ସଫଳତା ହାସଲ କରିଥିଲା । ତାହା ପୂର୍ବରୁ ୧୯୬୦ରେ ଆମେରିକା ସ୍ପେଶ୍ ମିଶନ ମାଧ୍ୟମରେ ଏହି ସଫଳତା ପାଇଥିଲା । ଏବେ ପ୍ରଶ୍ନ ହେଉଛି ଏହି ନମୁନାକୁ ନେଇ କ’ଣ ରହିବ ଚୀନର ଆଗାମୀ ପଦକ୍ଷେପ ।

ପୃଥିବୀର ମାଟି ଏବଂ ଚନ୍ଦ୍ର ମାଟିରେ ଅନେକ ପାର୍ଥକ୍ୟ ରହିଛି । ଗୋଟିଏ ପକ୍ଷେ ସେଥିରେ ଜୈବିକ ପୋଷକ ତତ୍ତ୍ୱର ଅଭାବ ଥିବାବେଳେ ମାଟି ମଧ୍ୟ ଶୁଖିଲା । ରିପୋର୍ଟ କହୁଛି ଚନ୍ଦ୍ରରେ ପରିବା ଚାଷ କରିବା ଭଳି ଅନୁକୂଳ ପରିବେଶ ନାହିଁ । କିନ୍ତୁ ଯେ ଏହାର ଅନ୍ୟ କୌଣସି ଉପଯୋଗ ହୋଇପାରିବ ନାହିଁ ତାହା କହିବା ଭୁଲ ହେବ । କାରଣ ଏଥିରେ ହିଲିୟନ-ଥ୍ରି’ର ମାତ୍ରା ଅଧିକ ହୋଇଥିବାରୁ ଏହାକୁ ବ୍ୟବହାର କରି ଥର୍ମୋନ୍ୟୁକ୍ଲିୟର ଜରିଆରେ ବିଦ୍ୟୁତ ଉତ୍ପାଦନ କରାଯାଇ ପାରିବ । ସବୁଠାରୁ ମଜାଦାର କଥା ହେଉଛି ଏହା ପ୍ରଥମ ଥର ନୁହେଁ ଯେତେବେଳେ ଚୀନ ଚନ୍ଦ୍ରରେ ଚାଷ କରିବା କଥା ଭାବିଛି । ଏହା ପୂର୍ବରୁ ମଧ୍ୟ ୨୦୧୯ରେ ଚାଙ୍ଗ୍-ଇ-୪ ସ୍ପେସ୍ କ୍ରାଫ୍ଟ ଚନ୍ଦ୍ରରେ ପହଞ୍ଚିଥିଲା ଏବଂ ସାଙ୍ଗରେ ନେଇଥିଲା କପା ମଞ୍ଜି । ଏହା ସହିତ ସେ ଚନ୍ଦ୍ରରେ ପୃଥିବୀ ଭଳି ବାତାବରଣ ଖୋଜିଥିଲା । ଯାହାକୁ ନେଇ ଖୁବ ଉତ୍ସାହିତ ଥିଲେ ପୃଥିବୀ ବାସିନ୍ଦା । କିନ୍ତୁ ଗୋଟିଏ ସପ୍ତାହ ପରେ ଖବର ଆସିଲାଯେ, ଚନ୍ଦ୍ରରେ ଲଗାଯାଇଥିବା ସମସ୍ତ ମଞ୍ଜି ମରି ଯାଇଥିଲା । ଚୀନର ଏହି ପ୍ରଚେଷ୍ଟା ଇତିହାସ ଲେଖିଥିଲା । ଅନ୍ୟପଟେ ନାସା ସ୍ପେସରେ ଚାଷ କରିବାର ଶ୍ରେୟ ନେଇ ସାରିଛି । ଅବଶ୍ୟ ଚନ୍ଦ୍ର ନୁହେଁ ବରଂ ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରରେ ସେ ଏହି କାରନାମା କରିଛି ।

ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରରେ ଏହି ସିଷ୍ଟମର ନାଁ ହେଉଛି ’ବେଜି’ । ଯାହା ସ୍ପେସରେ ମାଇକ୍ରୋଗ୍ରାଭିଟି ସ୍ଥିତିରେ ମହାକାଶଚାରୀଙ୍କ ପାଇଁ ତାଜା ପରିବା ଉତ୍ପାଦନ କରିବାର ସମ୍ଭାବନାକୁ ବଢାଇବାରେ ସାହାଯ୍ୟ କରିଥାଏ । ଏହି ବେଜିର ଆକାର ଏକ ସୁଟକେସ ଭଳି । ଯେଉଁଥିରେ ଛଅଟି ଚାରା ଲଗାଯାଇଛି । ଏହି ଚାରାକୁ ବଞ୍ଚାଇ ରଖିବାକୁ ଏଥିରେ ଜଳ,ପୋଷଣ ଏବଂ ବାୟୁର ବ୍ୟବସ୍ଥା କରାଯାଇଛି ।

ରିପୋର୍ଟ କହୁଛି ଚନ୍ଦ୍ରରୁ ମିଳିଥିବା ନମୁନାକୁ ତିନି ଭାଗରେ ବିଭକ୍ତ କରାଯାଇ ଭିନ୍ନ ଭିନ୍ନ ଭାବରେ ଗବେଷଣା କରାଯିବ । ଏକ ଭାଗ ବୈଜ୍ଞାନିକ ରିସର୍ଚ ପାଇଁ ବ୍ୟବହାର ହେବ, ଆଉ ଏକ ଭାଗକୁ ଶିକ୍ଷା ପାଇଁ ମ୍ୟୁଜିୟମରେ ରଖାଯିବ । ତୃତୀୟ ଭାଗ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଯେଉଁ ଦେଶ ଗୁଡ଼ିକ ଚୀନ ସହିତ ମିଶି ଏହା ଉପରେ ରିସର୍ଚ କରୁଛନ୍ତି ସେମାନଙ୍କୁ ଦିଆଯିବ ।

Leave a Reply