ମୋଦିଙ୍କ ବ୍ରାଣ୍ଡ୍ ଭ୍ୟାଲୁ କମିଛି କି ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ଶେଖର ଗୁପ୍ତା

ଭୁବନେଶ୍ୱର: ଦୈନିକ ସକାଳର ସ୍ୱନକ୍ଷତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତା କୃଷି ଆଇନ ପ୍ରତ୍ୟାହାର ଓ ଏହାର ରାଜନୈତିକ ପ୍ରଭାବ ଉପରେ ନିଜ ମତ ରଖିଛନ୍ତି । କୃଷି ଆଇନ ପ୍ରତ୍ୟାହାର ଦ୍ୱାରା ମୋଦିଙ୍କ ବ୍ରାଣ୍ଡ୍ ଭ୍ୟାଲୁ କମିଛି କି ? ଏହି ପ୍ରଶ୍ନର ଉତ୍ତରରେ ଗୁପ୍ତା କହିଥିଲେ ଯେ, ମୁଁ ଜଣେ ମାର୍କେଟିଂ ପର୍ସନ ନୁହେଁ । ମୁଁ ଜଣେ ସାମ୍ବାଦିକ । ଜଣେ ସାମ୍ବାଦିକ ଭାବେ କହିବି ଯେ, ମୁଁ ନିଜେ କୃଷି ଆଇନକୁ ସମର୍ଥନ କରେ । ତାହା ଚାଷୀଙ୍କ ପାଇଁ ଭଲ ଥିଲା । କିନ୍ତୁ ମୁଁ ଏହା ମଧ୍ୟ କହିବାକୁ ଯାଉଛି କୃଷକ ଆନ୍ଦୋଳନ ଗୋଟିଏ କଥା କରିଛି ତାହା ହେଉଛି ଯେ, ସେମାନେ ଦେଶ, ମୋଦି ଓ ବିଜେପିକୁ କହିଛନ୍ତି ଯେ, ସଂଖ୍ୟାଗରିଷ୍ଠତାର ଅର୍ଥ ନୁହେଁ ଯେ ବାକିଙ୍କର କୌଣସି ମୂଲ୍ୟ ନୁହେଁ ।

ତେବେ ପଂଜାବ ଓ ଉତ୍ତର ପ୍ରଦେଶକୁ ନିର୍ବାଚନ କାରଣରୁ ବିଲ୍ ପ୍ରତ୍ୟାହର ହୋଇଛି କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ପଂଜାବରେ ବିଜେପିର କୌଣସି ଅସ୍ଥିତ୍ୱ ନାହିଁ । ଉତ୍ତର ପ୍ରଦେଶର କିଛି ଭାଗରେ କୃଷକ ଆନ୍ଦୋଳନର ପ୍ରଭାବ ରହିଛି । ତେଣୁ ନିର୍ବାଚନ ପାଇଁ ଆଇନ ପ୍ରତ୍ୟାହାର ହୋଇଥିବ ବୋଲି ମୁଁ ଭାବୁନି । ହୁଏତ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା ସରକାରଙ୍କୁ ଡରାଇ ଥିଲା । ତେଣୁ ଆଇନ ପ୍ରତ୍ୟାହର ହୋଇଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସଂସଦୀୟ ସଂଖ୍ୟାଗରିଷ୍ଠତାର ଦୁର୍ବଳତାକୁ ମଧ୍ୟ ପଦାରେ ପକାଇ ଦେଇଛି ।

ଏହାସହ ସେ କହିଥିଲେ ଯେ, ଏଭଳି ଗୁରୁତ୍ୱପୂର୍ଣ୍ଣ ଆଇନକୁ ଅଧ୍ୟାଦେଶ ମାଧ୍ୟମରେ ଆଣିବା ମଧ୍ୟ ଭୁଲ ଥିଲା । ଏଭଳି ଆଇନ ଯାହାଦ୍ୱାରା ଅନେକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହେବାର ଅଛି ତାହା ସଂସଦରେ ଆଲୋଚନା ଦ୍ୱାରା ଆସିବାର ଥିଲା ।

କେବଳ ଦୁଇଟି ରାଜ୍ୟର ଚାଷୀଙ୍କ ପାଇଁ ସରକାର ମୁଣ୍ଡ ନୁଆଇଁବା କେତେଦୁର ଯଥାର୍ଥ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏକ ପ୍ରକୃତ ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠତାର ସୀମା କ’ଣ ତାହା ଏହି ଆନ୍ଦୋଳନ ପ୍ରମାଣିତ କରିଛି । ଯଦି ସଂଖ୍ୟାଗରିଷ୍ଠତା ହିଁ ସବୁକିଛି ତେବେ ଚୀନରେ କମ୍ୟୁନିଷ୍ଟ ଶାସନ ମଧ୍ୟ କିଛି ଖରାପ ନୁହେଁ ।

Leave a Reply