ଆବାସ ଯୋଜନା ଧର୍ମକୁ ଆଖିଠାର, ପାଇଖାନାରେ ରହୁଛନ୍ତି ୭୫ ବର୍ଷିୟା ବୃଦ୍ଧା
![](https://nandighoshatv.com/wp-content/uploads/2025/02/ବାଟବଣା-ଆବା-1024x576.jpg)
ଘଟଗାଁ: ବାତ୍ଯା ଦାନା ଉଜାଡ଼ଇ ଦେଲା ଘର । ଏବେ ବାସହରା ୭୫ ବର୍ଷିୟା ବୃଦ୍ଧା ମୁନି ମୁଣ୍ଡେ । ଘର ଖଣ୍ଡେ ନଥିବାରୁ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ଘଟଗାଁ ବ୍ଲକ ଗୋପିନାଥପୁର ଗାଁର ମୁନି । ଦୟନୀୟ ଭାବେ ପାଇଖାନା ଘରେ ବିତୁଛି ସମୟ । ହେଲେ ତାଙ୍କ ଉପରେ କୌଣସି ପ୍ରଶାସନିକ ଅଧିକାରୀ ଦୃଷ୍ଟି ପଡୁ ନଥିବା ଅଭିଯୋଗ ।
ସୂଚନାଯୋଗ୍ୟ, ବାତ୍ଯା ଦାନାରେ ଭୁଷୁଡି ପଡିଲା ମୁନିଙ୍କ ଘର । ଏବେ ପାଇଖାନାରେ ବିତୁଛି ଜୀବନ । ନାତି ଓ ନାତୁଣୀ ବୋହୂକୁ ନେଇ ତାଙ୍କ ପରିବାର । ବୃଦ୍ଧା ଜଣଙ୍କ ଏକ ଚାଳ ଘରେ ତାଙ୍କ ନାତି ସହିତ ରହୁଥିଲେ । କିନ୍ତୁ ଆଜକୁ ଚାରିମାସ ତଳେ ବାତ୍ଯା ଦାନା ସେସବୁକୁ ଉଜାଡି ଦେଇଗଲା । ମୁନି ଓ ତାଙ୍କ ନାତି ପରିବାର ସହିତ ରାତିରେ ଶୋଇଥିବା ବେଳେ ବର୍ଷା ପବନରେ ହଠାତ ଘରଟି ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଥିଲା ତାଙ୍କ ଉପରେ । ଫଳରେ ସମସ୍ତେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ପରିତାପର ବିଷୟ ଆଜିକୁ ଚାରିମାସ ବିତିଯାଇଥିଲେ ମଧ୍ଯ କୌଣସି ପ୍ରଶାସନ ତାଙ୍କ ପାଖରେ ପହଞ୍ଚିପାରିନି । ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯିବା ପରେ ଏବେ ଘର କରିବା ପାଇଁ ସମ୍ବଳ ନାହିଁ । ଫଳରେ ସରକାର ଦେଇଥିବା ପାଇଖାନାରେ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ବୃଦ୍ଧା ।
ଗରିବ ଲୋକଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ଯୋଜନା ଥିଲେ ବି ଆଜି ପର୍ଯ୍ୟନ୍ତ ବୃଦ୍ଧାଙ୍କୁ ସରକାରଙ୍କ ତରଫରୁ ଘର ଖଣ୍ଡିଏ ମିଳି ପାରୁନାହିଁ । ଅନେକ ଥର ଘର ଖଣ୍ଡିଏ ପାଇଁ ଆବେଦନ କରିଥିଲେ ମଧ୍ୟ କୈାଣସି ପ୍ରଶାସନ ଅଧିକାରୀ ଆନ୍ତରିକତା ଦେଖାଇ ନାହାନ୍ତି । ଏପଟେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଏ ବାବଦରେ ଜଣାଇବା ପରେ ସେ ବୃଦ୍ଧାଙ୍କୁ ଶୀଘ୍ର ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।