ଗଜପତିରେ ଧାନ କିଣା ପୂର୍ବରୁ ଦେଖାଦେଇଛି ଅବ୍ୟବସ୍ଥା
ଗଜପତି : ଡିସେମ୍ବର ୨୮ରୁ ଗଜପତିରେ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ଚାଷୀ ନେତା ଓ ମିଲରଙ୍କୁ ନେଇ ପ୍ରସ୍ତୁତି ଆରମ୍ଭ କଲାଣି ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ୪୫ଟି ସୋସାଇଟି ମାଧ୍ୟମରେ ମୋଟ ୧୫ ହଜାର ୪୯୧ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ଧାର୍ଯ୍ଯ ରଖିଛି ଜିଲ୍ଲା ପ୍ରଶାସନ । କିନ୍ତୁ ଧାନ କିଣା ପୂର୍ବରୁ ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ଧାନର ମାନ ଓ ମିଲିଂ ଚାଉଳକୁ ନେଇ ଉପୁଜିଛି ଗମ୍ଭୀର ସମସ୍ୟା । ଗତବର୍ଷ ମିଲରଙ୍କ ଠାରୁ ଚାଉଳ ଆକାରରେ ୪୩ ହଜାର ମେଟ୍ରିକ୍ ଟନ୍ କିଣିବା ଲକ୍ଷ୍ୟ ରଖାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ୨୭ ହଜାର ୩୭୭ ମେଟ୍ରିକ୍ ଟନ୍ ଚାଉଳ କ୍ରୟ କରାଯାଇଛି । ମିଲରଙ୍କ ଠାରେ ପୂର୍ବ ବର୍ଷର ଚାଉଳ ଏଯାଏଁ ଗଚ୍ଛିତ ରହିଛି। ଯାହା ଅକ୍ଟୋବର ସୁଦ୍ଧା ଗୋଦାମକୁ ଆସିବାର ଥିଲା । ତେବେ ମିଲରଙ୍କ ଠାରେ ଏପର୍ଯ୍ଯନ୍ତ ପୂର୍ବ ଗଚ୍ଛିତ ଚାଉଳ ଥିବା ବେଳେ ଏବେ ନୂତନ ଅମଳ କେଉଁଠି ରହିବ ? ତାକୁ ନେଇ ବଢିଛି ସମସ୍ୟା । ସେପଟେ ବର୍ତ୍ତମାନ ସୁଦ୍ଧା ମିଲର୍ସ ନିଜର ସ୍ଵୀକାର ପତ୍ର ବିଭାଗକୁ ଦେଇନାହାଁନ୍ତି । ମିଲିଂ ଚାଉଳ ଉଠାଣ, ପୂର୍ବ ଜମାରାଶି ଫେରସ୍ତ, ଟ୍ରାନ୍ସପୋର୍ଟି ଦର ବୃଦ୍ଧି ଭଳି ଅନେକ ଦାବି ପୂରଣ ନ ହେଲେ ସ୍ବୀକାର ପତ୍ର ଦିଆଯିବ ନାହିଁ ବୋଲି ସିଧାସଳଖ ସମୀକ୍ଷା ବୈଠକରେ ପ୍ରକାଶ କରିଛନ୍ତି ମିଲର ।
ସେପଟେ କଳାହାଣ୍ଡିରେ କଟନି ଛଟନିରେ ଚାଲିଛି ଧାନ କିଣା । ଚଳିତ ବର୍ଷ ୨୨୩ଟି ମଣ୍ଡି ମାଧ୍ଯମରେ ପ୍ରଥମ ପର୍ଯ୍ଯାୟରେ 50ଲକ୍ଷ 80ହାଜର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ଯ ରଖିଛି ଜିଲ୍ଲା ପ୍ରଶାସନ । ହେଲେ କେଉଁଠି ମଣ୍ଡି ଖାଲି ତ ଆଉ କେଉଁ ମଣ୍ଡିରେ ପଡ଼ି ରହିଛି ଧାନ ତ ଆଉ କେଉଁ ଚାଷୀ ନିଜ ବିଲରେ ଧାନ ରଖି ଶୀତ କାକରରେ ଦିନ ବିତାଉଛି । ନଭେମ୍ବର ୨୯ ତାରିଖରେ ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଘୋଟିଆ ମଣ୍ଡିରେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି ୫ କେଜି ଓ ବସ୍ତା ବାବଦକୁ ୨କେଜି ସମୁଦାୟ ୭ କେଜି କଟନି ପରେ ଚାଷୀଙ୍କ ଧାନ କିଣା ଯାଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଧାନକିଣାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ମିଲର ଏବଂ ଜିଲ୍ଳା ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ଏବେ ଚାଷୀ ଅଭାବୀ ବିକ୍ରିର ଶିକାର ହେବା ଆଶଙ୍କା ଦେଖାଦେଇଛି ।