ଭାଙ୍ଗିଲା ଆନ୍ଧ୍ର-ଓଡ଼ିଶାକୁ ସଂଯୋଗ କରୁଥିବା ଲୁହା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

1 min read

ଜୟପୁର: ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା ପରେ ଜଲାପୁଟ ଡ୍ୟାମରୁ ପାଣି ଛାଡା ଯାଇଛି । ହେଲେ ପାଣିର ପ୍ରଖର ସ୍ରୋତରେ ଆନ୍ଧ୍ର ପ୍ରଦେଶ ଓ ଓଡିଶାକୁ ସଂଯୋଗ କରୁଥିବା ଅସ୍ଥାୟୀ ଲୁହା ପୋଲ ଭାସିଯାଇଛି l ଫଳରେ ଦୁଇ ରାଜ୍ୟ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏହି ପୋଲଟି କୋରାପୁଟ ପଟେ ଥିବା ଜଲାପୁଟ ଗାଁ ଓ ଆନ୍ଧ୍ର ପଟେ ଥିବା ଜଲାପୁଟ ଗାଁକୁ ସଂଯୋଗ କରୁଥିଲା ।

ପୋଲ ଭାସି ଯିବା ପରେ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପିଲା ସ୍କୁଲ ଯିବା ଓ ଲୋକେ ସ୍ବାସ୍ଥ୍ୟସେବା ପାଇବାରେ ଅସୁବିଧାର ସମୁଖୀନ ହେଉଛନ୍ତି । ଘଟଣାସ୍ଥଳରେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ହେଲେ ଓଡ଼ିଶା ପଟେ କୋରାପୁଟ ଜିଲ୍ଲା ପ୍ରଶାସନର ଦେଖା ମିଳି ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ମଧ୍ୟ ପୋଲ ଧୋଇଯାଇଥିଲା l ପରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଏହି ଅସ୍ଥାୟୀ ଲୁହା ପୋଲ ନିର୍ମାଣ କରାଯାଇଥିଲା । ଗତକାଲି ଜଳଭଣ୍ଡାରରୁ ପାଣି ଛାଡିବା ପରେ ପୋଲଟି  ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି  l