ଯାତ୍ରୀଗଣ କୃପାକରି ଧ୍ୟାନ ଦିଅନ୍ତୁ: ସ୍ପେଶାଲ ଟ୍ରେନରେ ଓଡ଼ିଶାକୁ ଫେରିବାର ଥିଲେ ମନେ ରଖନ୍ତୁ ଏହି ସବୁ କଥା …ନହେଲେ ଅସୁବିଧାରେ ପଡିବେ

ନୂଆଦିଲ୍ଲୀ:  ଲକଡାଉନ୍ କାରଣରୁ ଦେଶର ବିଭିନ୍ନ ଭାଗରେ ଫସି ରହିଥିବା ଯାତ୍ରୀଙ୍କୁ ନିଜ ରାଜ୍ୟରେ ପହଂଚାଇବା ପାଇଁ ଭାରତୀୟ ରେଳ ମଙ୍ଗଳବାରଠାରୁ ୧୫ ଏସି ସ୍ପେଶାଲ ଟ୍ରେନ ଚଲାଇବ । ରେଳବାଇ ଅନୁସାରେ ଏହି ଟ୍ରେନ ଗୁଡିକ ସୀମିତ ଷ୍ଟେଶନରେ ଅଟକିବେ । କିନ୍ତୁ ଯାତ୍ରୀ ଏହି ଷ୍ଟେଶନରେ ଓହ୍ଲାଇ ପାରିବେ କିମ୍ବା ଚଢି ପାରିବେ । ଉଦାହରଣ ସ୍ୱରୁପ ନୂଆଦିଲ୍ଲୀରୁ ପାଟନା ଯାଉଥିବା ଏସି ସ୍ପେଶାଲ ଟ୍ରେନ୍ କାନପୁର ସେଣ୍ଟ୍ରାଲ,ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନ ଓ ପ୍ରୟାଗରାଜ ଜଙ୍କସନରେ ଅଟକିବ । ଏହି ସବୁ ଷ୍ଟେଶନରେ ଯାତ୍ରୀ ଓହ୍ଲାଇ ପାରିବେ କିମ୍ବା ଏଠାରୁ ଟ୍ରେନରେ ଚଢି ପାରିବେ । ଏହାପୂର୍ବରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରେନ୍ ବାଟରେ କୌଣସି ଷ୍ଟେଶନରେ ଅଟକୁ ନଥିଲା କିମ୍ବା ଯାତ୍ରୀଙ୍କୁ ମଧ୍ୟବର୍ତ୍ତି ଷ୍ଟେଶନରୁ ଉଠାଉ ନଥିଲା  ।

ସେହିଭଳି ହାୱଡା ଯାଉଥିବା ଟ୍ରେନ୍ ଆସନସୋଲ,ଧନବାଦ,ପାରସନାଥ,ଗୟା,ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନ୍,ପ୍ରୟାଗରାଜ ଜଙ୍କସନ ଓ କାନପୁର ସେଣ୍ଟ୍ରାଲରେ ଅଟକିବ । ଏହି ସବୁ ଷ୍ଟେଶନରୁ ଯାତ୍ରୀ ଟ୍ରେନରେ ଚଢି ପାରିବେ କିମ୍ବା ଓହ୍ଲାଇ ପାରିବେ । ଏହି ୧୫ ଟ୍ରେନଙ୍କ ମଧ୍ୟରୁ ଅଧିକାଂଶ ଦୈନିକ ଚାଲିବେ ଓ କିଛି ସପ୍ତାହରେ ତିନି ଦିନ,କିଛି ଦୁଇ ଦିନ ଓ କିଛି କେବଳ ଦିନକ ପାଇଁ ଚାଲିବେ ।  ହାୱଡା,ପାଟନା,ଦିବ୍ରୁଗଡ,ଜମ୍ମୁ,ମୁମ୍ବାଇ,ଅହମ୍ମଦାବାଦ,ଭୁବନେଶ୍ୱର ଓ ବେଙ୍ଗାଲୁରୁ ପାଇଁ ଟ୍ରେନ୍ ଦୈନିକ ଚାଲିବ । ଅନ୍ୟପକ୍ଷରେ ଅଗରତାଲା ପାଇଁ ସପ୍ତାହରେ ଗୋଟିଏ ଦିନ ଟ୍ରେନ୍ ଚାଲିବ ।

ସଂଧ୍ୟା ୪ରୁ ଆରମ୍ଭ ହେବ ଟିକେଟ୍ ବୁକିଂ

ଆଇଆରସିଟିସିର ୱେବସାଇଟ୍ ଆଜି ସଂଧ୍ୟା ୪ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ । ଟିକେଟ୍ କେବଳ ଅନଲାଇନ୍ ହିଁ ବୁକିଂ କରାଯାଇ ପାରିବ । କାଉଣ୍ଟର କିମ୍ବା ଏଜେଣ୍ଟଙ୍କ ଜରିଆରେ ଟିକେଟ୍ ନିଆଯାଇ ପାରିବ ନାହିଁ ।

ଟିକେଟ୍ ଦର କେତେ ?

ରାଜଧାନୀ ଏକ୍ସପ୍ରେସ ଟିକେଟ୍ ଦର ସହିତ ଏହି ସ୍ପେଶାଲ ଏସି ଟ୍ରେନ୍ ଟିକେଟ୍ ଦର ସମାନ ରହିବ ।

ମାସ୍କ ଅନିବାର୍ଯ୍ୟ

ସବୁ ଯାତ୍ରୀଙ୍କ ପାଇଁ ମାସ୍କ ଅନିବାର୍ଯ୍ୟ ହେବ । ବିନା ମାସ୍କରେ ଥିବା ଯାତ୍ରୀଙ୍କୁ ଯାତ୍ରା ଅନୁମତି ମିଳିବ ନାହିଁ ।

ଏକ ଘଣ୍ଟା ପୂର୍ବରୁ ଷ୍ଟେଶନରେ ପହଂଚିବାକୁ ପଡିବ

ଟ୍ରେନ୍ ଛାଡିବାର ଅତିକମରେ ଗୋଟିଏ ଘଣ୍ଟା ଆଗରୁ ଷ୍ଟେଶନରେ ପହଂଚିବାକୁ ପଡିବ । ଯାତ୍ରୀଙ୍କୁ ସ୍କ୍ରିନିଂ ପରେ ହିଁ ଟ୍ରେନରେ ବସିବାକୁ ଅନୁମତି ମିଳିବ । ତେଣୁ ଟ୍ରେନ ଛାଡିବାର ଏକ ଘଣ୍ଟା ପୂର୍ବରୁ ଷ୍ଟେଶନରେ ପହଂଚିବାକୁ ପଡିବ । ଯେଉଁ ଯାତ୍ରୀଙ୍କ ଠାରେ କରୋନା ଲକ୍ଷଣ ନଥିବ ସେମାନଙ୍କୁ ହିଁ ଯାତ୍ରା ଅନୁମତି ମିଳିବ

ଆରୋଗ୍ୟ ସେତୁ ଆପ୍ ଜରୁରୀ

ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ବାଧ୍ୟ । ଏହି କରୋନା ସଂକ୍ରମିତଙ୍କ ସମ୍ପର୍କରେ ସତର୍କ କରିଥାଏ । କନଫର୍ମ ଟିକେଟ୍ ଯାତ୍ରୀ ହିଁ ସ୍ପେଶାଲ ଟ୍ରେନରେ ଯାତ୍ରା କରି ପାରିବେ ।

ପାଖରେ ନିଜ କମ୍ବଳ ରଖନ୍ତୁ

ଟ୍ରେନରେ ଯାତ୍ରୀଙ୍କୁ କମ୍ବଳ ଓ ଚାଦର ସୁବିଧା ମିଳିବ ନାହିଁ । ତେଣୁ ଘରୁ ବାହାରିବା ବେଳେ ନିଜ ସହ ଚାଦର ଓ କମ୍ବଳ ନେଇଯାନ୍ତୁ ।

ଖାଦ୍ୟ ମିଳିବ ନାହିଁ

ଯାତ୍ରାକାଳରେ ଟ୍ରେନରେ ଖାଦ୍ୟ ମିଳିବ ନାହିଁ ତେଣୁ ଘରୁ ଖାଦ୍ୟ ନେଇକରି ଯାନ୍ତୁ ।

 

Leave a Reply