ନନ୍ଦିଘୋଷ ବ୍ୟୁରୋ : ଜାତିସଂଘର ନିଷ୍କ୍ରିୟ ଭୂମିକାକୁ ଇରାନର କଟାକ୍ଷ। ଏକ ତୁଳନାତ୍ମକ ଚିତ୍ରରେ ଜାତିସଂଘକୁ କଟୁ ସମାଲୋଚନା କରିଛି ଇରାନ। ଜାତିସଂଘ ଯେଉଁପରି ଚାଲିଛି ତାହାକୁ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ଶୋଲେର ଏକ ଫଟୋ ଜରିଆରେ କଟାକ୍ଷ କରିଛି ଇରାନ। ଭାରତସ୍ଥିତ ଇରାନ ଦୂତାବାସ ପକ୍ଷରୁ ଜାରି ଏହି ଫଟୋରେ ଅନେକ କଥା କୁହାଯାଇଛି। ଡିଜିଟାଲ ଡିପ୍ଲୋମାସି ଜରିଆରେ ଇରାନ କଟାକ୍ଷ କରିଛି। ବଲିଉଡ ଢଙ୍ଗରେ ଜାତିସଂଘର ଭୂମିକାକୁ ଚିତ୍ରଣ କରିଛି ଦୂତାବାସ। ପ୍ରକାଶିତ ଫଟୋର ଜାତିସଂଘକୁ ସର୍ବକ୍ଷମତାଶାଳୀ ଦର୍ଶାଯାଇଥିବାବେଳେ ବାସ୍ତବରେ ତାହାର ନିଷ୍କ୍ରିୟ ଭୂମିକାକୁ ଚିତ୍ରଣ କରାଯାଇଛି। ଶୋଲେ ଚଳଚ୍ଚିତ୍ରରେ ଅଭିନୟ କରିଥିବା ସଞ୍ଜୀବ କୁମାରଙ୍କ ହାତ ନଥିବା ଫଟୋକୁ ସ୍ଥାନୀତ କରାଯାଇଛି। ୧୯୭୫ର ଫିଲ୍ମ ଶୋଲେରେ ସଞ୍ଜୀବ କୁମାର ଠାକୁର ବଳଦେବ ସିଂ ଚରିତ୍ରରେ ଅଭିନୟ କରିଥିଲେ ଯେଉଁଥିରେ ତାଙ୍କର ଦୁଇଟି ଯାକ ହାତ ନଥିଲା। ଜାତିସଂଘ ସର୍ବକ୍ଷମତାଶାଳୀ ହୋଇଥିଲେ ବି ଇରାନ ଉପରେ ଆମେରିକାର ଆକ୍ରମଣ କ୍ଷେତ୍ରରେ ଜାତିସଂଘ ନୀରବ ରହିବାକୁ ସମାଲୋଚନା କରିଛି ଇରାନ।

