ପଞ୍ଜଶୀରରେ ନରସଂହାର ଆଶଙ୍କା: ତାଲିବାନ, ପାକିସ୍ତାନକୁ ଇରାନର ଚେତାବନୀ, ଲକ୍ଷ୍ମଣରେଖା ପାର ହୁଅନି

1 min read

ତେହେରାନ: ରବିବାର ରାତିରେ ପାକିସ୍ତାନୀ ବାୟୁସେନା ସାହାଯ୍ୟରେ ତାଲିବାନ ପଞ୍ଜଶୀର ଉପରେ କବଜା କରିଛି । ପାକ୍ ଡ୍ରୋନ୍ ଆକ୍ରମଣରେ ପଞ୍ଜଶୀର ବିଦ୍ରୋହୀଙ୍କ ସୁରକ୍ଷା କବଚ ଧ୍ୱଂସ ହେବା ପରେ ବିଦ୍ରୋହୀଙ୍କ ନେତୃତ୍ୱ ନେଉଥିବା ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଜିକସ୍ତାନ ପଳାୟନ କରିଥିବା ବେଳେ ଅହମ୍ମଦ ମାସୁଦ ଅଜ୍ଞାତ ସ୍ଥାନରେ ଆତ୍ମଗୋପନ କରିଛନ୍ତି । ପଞ୍ଜଶୀରର ପତନ ପରେ ତାଲିବାନ ବିଦ୍ରୋହଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଛି । ତାଲିବାନ ପଂଜଶୀରରେ ଗଣହତ୍ୟା କରିବାକୁ ଯୋଜନା କରୁଛି କିମ୍ବା ଆରମ୍ଭ କରିସାରିଲାଣି ବୋଲି ଆଶଙ୍କ ପ୍ରକାଶ କରୁଥିବା ବେଳେ ଇରାନ ପାକିସ୍ତାନ ଓ ତାଲିବାନକୁ ଚେତାବନୀ ଦେଇଛି ।
ପଞ୍ଜଶୀରରେ ତାଲିବାନ ଚଳାଇଥିବା ଗଣହତ୍ୟା ଉପରେ ପ୍ରଥମ ଥର ପାଇଁ ପଡ଼ୋଶୀ ଇରାନ ପ୍ରତିକ୍ରିୟା ପ୍ରକାଶ କରିଛି । ଇରାନ ବୈଦେଶିକ ବିଭାଗ ନିଜ ପ୍ରତିକ୍ରିୟାରେ କହିଛି ଯେ, ତାଲିବାନ ଲକ୍ଷ୍ମଣ ରେଖ ଅତିକ୍ରମ ନକରୁ । ଏହାସହିତ ପଞ୍ଜଶୀର ଆକ୍ରମଣରେ ପାକ୍ ବାୟୁସେନାର ଭୂମିକା ଉପରେ ଆମେ ତଦନ୍ତ କରୁଛୁ ବୋଲି ମଧ୍ୟ ଇରାନ କହିଛି । ସୂଚନାଯୋଗ୍ୟ ଯେ, ସିଆ ବହୁଳ ଇରାନ ତାଲିବାନ ବିରୋଧୀଙ୍କୁ ଆଗରୁ ସାହାଯ୍ୟ କରୁଥିଲା । ୧୯୯୬ରେ ଇରାନ ତାଜିକ୍ ବିଦ୍ରୋହୀଙ୍କୁ ସାହାଯ୍ୟ କରିଥିଲା । ଚଳିତ ସଂକଟ କାଳରେ ଇରାନ ଖୋଲାଖୋଲି ତାଲିବାନ ବିରୋଧୀ ମେଣ୍ଟକୁ ସମର୍ଥନ କରିନାହିଁ । କିନ୍ତୁ ଇରାନର ଏହି ନୂଆ ବୟାନ ନିଶ୍ଚିତ ଭାବେ ପାକିସ୍ତାନ ଓ ତାଲିବାନକୁ ଚିନ୍ତିତ କରିବ ।
ତେହେରାନ ଟାଇମ୍ସ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ବୟାନ ପ୍ରକାଶିତ କରିଛି । ଏହି ବୟାନରେ ମୁଖପାତ୍ର ଖତିବ ଜାଦେହ କହିଛନ୍ତି ଯେ, ପଞ୍ଜଶୀର ଆକ୍ରମଣ କାଳରେ ପାକିସ୍ତାନୀ ହସ୍ତକ୍ଷେପ ଯାଞ୍ଚ ହେଉଛି । ବିଭିନ୍ନ ଆଫଗାନୀ ଗୋଷ୍ଠୀଙ୍କ ମଧ୍ୟରେ ଆଲୋଚନା ଦ୍ୱାରା ହିଁ ଆଫଗାନ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଆମେ ଭାବୁଛୁ । ମୁଁ ଚେତାବନୀ ଦେବାକୁ ଚାହୁଁଛି ଯେ, ସମସ୍ତେ ଲକ୍ଷ୍ମଣରେଖାକୁ ଅତିକ୍ରମ ନକରନ୍ତୁ ଓ ଅନ୍ତର୍ଜାତୀୟ ନିୟମ ଅନୁସାରେ ନିଜ ଦାୟିତ୍ୱ ନିର୍ବାହ କରନ୍ତୁ ।

ଆଫଗାନିସ୍ତାନ ଘଟଣାକ୍ରମ ଉପରେ ନଜର
ଇରାନୀ ବୈଦେଶିକ ବିଭାଗ ମୁଖପାତ୍ରଙ୍କ ଅନୁସାରେ ତାଙ୍କ ଦେଶ ଆଫଗାନିସ୍ତାନରେ ଯାହା କିଛି ଘଟୁଛି ତାହା ଉପରେ ନଜର ରଖିଛି । ପଂଜଶୀର ଆକ୍ରମଣରେ ପାକିସ୍ତାନୀ ବାୟୁସେନାର ଭୂମିକା ଓ ନରସଂହାରରେ ପାକ୍ ସୈନିକଙ୍କ ସଂଲିପ୍ତତାକୁ ନେଇ ଯାଂଚ୍ ଚାଲୁଛି ବୋଲି ମଧ୍ୟ ସେ କହିଛନ୍ତି ।
ଇରାନ ଚାହେଁ ନିର୍ବାଚନ
ଆଫଗାନିସ୍ତାନରେ ତୁରନ୍ତ ନିର୍ବାଚନ ହେଉ ବୋଲି ଇରାନ ଚାହୁଁଛି । ଇରାନ ଅନୁସାରେ ଆଫଗାନିସ୍ତାନରେ ନିର୍ବାଚନ ଦ୍ୱାରା ସରକାର ଗଠନ ହେବା ଉଚିତ । ବାହ୍ୟ ହସ୍ତକ୍ଷେପ ଦ୍ୱାରା ଗଠିତ ସରକାର କେବେ ମଧ୍ୟ ଆଫଗାନିସ୍ତାନରେ ତିଷ୍ଟିନାହିଁ ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ:ତାଲିବାନକୁ ପଞ୍ଜଶୀର ଦେଲା ପାକିସ୍ତାନ, ଡ୍ରୋନ୍ ଆକ୍ରମଣ କାରଣରୁ ଦେଶ ଛାଡ଼ିଲେ ସାଲେହ

Leave a Reply