ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲ ଉପରେ ଇରାନର କ୍ଲଷ୍ଟର ବୋମା ବର୍ଷଣ। ଏହି ବିଧ୍ଵଂସକ ବୋମା ମାଡ଼ କରିଥିବା କହିଛି ଇସ୍ରାଏଲର ସେନା। ଇରାନ-ଇସ୍ରାଏଲ ଯୁଦ୍ଧରେ ପ୍ରଥମ ଥର ପାଇଁ ପଡିଲା କ୍ଲଷ୍ଟର ବୋମା। ଏହାକୁ ଯୁଦ୍ଧ ଅପରାଧ ଭାବେ ଅଭିହିତ କରିଛି ଇସ୍ରାଏଲ। ସାଧାରଣ ନାଗରିକଙ୍କୁ ହତ୍ୟା ଲାଗି ଏହି କ୍ଲଷ୍ଟର ବୋମା ବୋଲି କହିଛି ଇସ୍ରାଏଲ। ଇରାନ ଇସ୍ରାଏଲ ଯୁଦ୍ଧର ଆଜି ଅଷ୍ଟମ ଦିନ ହୋଇଥିବାବେଳେ ସଂଘର୍ଷ ଆହୁରି ତେଜିଛି।
ଇସ୍ରାଏଲ ଉପରେ ଅତି କମରେ ଗୋଟିଏ କ୍ଲଷ୍ଟର ବୋମା ବହନ କରୁଥିବା କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଇରାନ। କ୍ଲଷ୍ଟର ବୋମାର ଲକ୍ଷ୍ୟ ହେଉଛି ଅଧିକ ଅଧିକ ଧନଜୀବନ ନଷ୍ଟ କରିବା। ଇରାନୀ କ୍ଷେପଣାସ୍ତ୍ରର ଯୁଦ୍ଧାସ୍ତ୍ର ପ୍ରାୟ ୭ କିଲୋମିଟର ଉଚ୍ଚତାରେ ଖୋଲିଥିଲା ଏବଂ କେନ୍ଦ୍ରୀୟ ଇସ୍ରାଏଲ ଉପରେ ପ୍ରାୟ ୮ କିଲୋମିଟର ବ୍ୟାସାର୍ଦ୍ଧରେ ଏଥିରୁ ପ୍ରାୟ ୨୦ଟି ବୋମା ପଡ଼ିଥିଲା ବୋଲି କହିଛି ଇସ୍ରାଏଲ। ସେପଟେ ଇରାନକୁ ଆଉ ଦୁଇ ସପ୍ତାହର ସମୟ ଦେଇଛି ଆମେରିକା। ଇରାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଲାଗି ଆଉ ୨ ସପ୍ତାହର ସମୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ଏହାପରେ ଆମେରିକା ଯୁଦ୍ଧରେ ସିଧାସଳଖ ସାମିଲ ହେବ କି ନାହିଁ ନିଷ୍ପତ୍ତି ନେବ। ଏ ନେଇ ହ୍ଵାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଇସ୍ରାଏଲ ଉପରେ ଜବରଦସ୍ତ ହମଲା କରିଥିଲା ଇରାନ। IDF କମାଣ୍ଡ ସେଣ୍ଟରକୁ ଟାର୍ଗେଟ କରିଥିଲା ଇରାନ। ରାଜଧାନୀ ତେଲ ଅଭିଭର ଏକ ହସ୍ପିଟାଲ ଉପରେ ହୋଇଛି ମିସାଇଲ ମାଡ଼। ଇସ୍ରାଏଲ ଇରାନର ଖୋଣ୍ଡାବ ପରମାଣୁ କେନ୍ଦ୍ରର ଭାରିଜଳ କେନ୍ଦ୍ରକୁ ଟାର୍ଗେଟ କରିଥିବା ବେଳେ ତେହେରାନ ଏକ କ୍ଷେପଣାସ୍ତ୍ର ଆକ୍ରମଣରେ ଦକ୍ଷିଣ ଇସ୍ରାଏଲର ସବୁଠାରୁ ବଡ଼ ହସ୍ପିଟାଲ ସୋରୋକା ମେଡିକାଲ ସେଣ୍ଟର କ୍ଷତିଗ୍ରସ୍ତ ହୋଇଥିଲା। ଇସ୍ରାଏଲ ଆକ୍ରମଣରେ ଇରାନର ୮ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅନ୍ୟପଟେ ଇରାନ ଆକ୍ରମଣରେ ଇସ୍ରାଏଲର ୨୪ ଜଣଙ୍କ ମୃତ୍ୟୁ ଘଟିଛି। ସମ୍ଭାବ୍ୟ ଯୁଦ୍ଧ ଭୟରେ ବହୁ ଦେଶର ଲୋକ ଛାଡୁଛନ୍ତି ଇରାନ। ସେପଟେ କତାରରେ ଥିବା ଆମେରିକୀୟ ଏୟାରବେସରୁ ପ୍ରାୟ ୪୦ଟି ସାମରିକ ବିମାନକୁ ଫେରାଇ ନିଆଯାଇଥିବା ସୂଚନା ମିଳିଛି।


