ଘନେଇଲା ମଧ୍ଯପ୍ରାଚ୍ଯ ସଙ୍କଟ; ଇସ୍ରାଏଲ ଉପରେ ସିଧାସଳଖ ହମଲା ଲାଗି ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ଘନେଇଲା ମଧ୍ଯପ୍ରାଚ୍ଯ ସଙ୍କଟ। ଇସ୍ରାଏଲ ଉପରେ ସିଧାସଳଖ ହମଲା କରିବା ଲାଗି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖୋମେନୀଙ୍କ ନିର୍ଦ୍ଦେଶ। ହମାସ ନେତା ଇସମାଇଲ ହାନିଏଙ୍କୁ ହତ୍ଯା ପ୍ରତିବାଦରେ ଇସ୍ରାଏଲ ଉପରେ ହମଲା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲର ଆକ୍ରମଣରେ ପ୍ରାଣ ହରାଇଥିଲେ ଇସମାଇଲ ଓ ରିଭଲ୍ଯୁସନାରୀ ଗାର୍ଡର ୨ ସଦସ୍ଯ। ଇସମାଇଲଙ୍କ ମୃତ୍ଯୁ ଘଟଣା ପରେ ପରେ ଇରାନର ସୁପ୍ରିମ ନ୍ଯାସନାଲ ସିକ୍ଯୁରିଟି କାଉନସିଲର ଏକ ଜରୁରୀ ବୈଠକ ଡାକି ସେଠାରେ ଇସ୍ରାଏଲ ଉପରେ ଆକ୍ରମଣ ଲାଗି ଖୋମେନି ନିର୍ଦ୍ଦେଶ ଦେଇଥିଲେ।

ଇରାନର ନୂଆ ରାଷ୍ଟ୍ରପତିଙ୍କ ଉଦଘାଟନୀ ଉତ୍ସବରେ ଯୋଗଦେବା ଲାଗି ଇସମାଇଲ ତେହେରାନରେ ଥିବାବେଳେ ସେଠାରେ ତାଙ୍କୁ ହତ୍ଯା କରାଯାଇଥିଲା। ପୂର୍ବରୁ ଇରାନରେ କେତେକ ଆଣବିକ ବିଜ୍ଞାନୀ, ସାମରିକ କମାଣ୍ଡରଙ୍କୁ ଇସ୍ରାଏଲ ହତ୍ଯା କରିବାର ନଜିର ରହିଛି। ଇସ୍ରାଏଲ ଓ ହମାସ ମଧ୍ଯରେ ଯୁଦ୍ଧର ୧୦ ମାସ ପରେ ବି ସ୍ଥିତି ସୁଧୁରୁନାହିଁ ଏବଂ ଗାଜାର ବହୁ ଅଞ୍ଚଳରେ ଏବେ ବି ଇସ୍ରାଏଲର ହମଲା ଜାରି ରହିଛି।

ଗତ ଏପ୍ରିଲରେ ସିରିଆର ରାଜଧାନୀ ଡାମାସ୍କସ ଉପରେ ଇସ୍ରାଏଲର ଆକ୍ରମଣ ପ୍ରତିବାଦରେ ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ କରିଥିଲା ଇରାନ। ଇସ୍ରାଏଲ କିମ୍ବା ଆମେରିକାର ସମ୍ଭାବ୍ଯ ଆକ୍ରମଣର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ ରିଭଲ୍ଯୁସନାରୀ ଗାର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ଖୋମେନୀ। ସୁପ୍ରିମଲିଡରଙ୍କ ଆକ୍ରମଣ ଆହ୍ବାନକୁ ସମର୍ଥନ କରିଛନ୍ତି ରାଷ୍ଟ୍ରପତି ମାସୁଦ ପେଜେସକିଆନ।