ଦୁଇ ପାରମ୍ପରିକ ଶତ୍ରୁ କରିବେ କୂଟନୈତିକ ସଂପର୍କ ସ୍ଥାପନ

ନୂଆଦିଲ୍ଲୀ: ବିଶ୍ବର କୂଟନୈତିକ କ୍ଷେତ୍ରରେ ଐତିହାସିକ ଘଟଣା ଘଟିଛି । ଦୁଇ ପାରମ୍ପରିକ ଶତ୍ରୁ ଦେଶ ଇରାନ ଓ ସାଉଦି ଆରବ କୂଟନୈତିକ ସଂପର୍କ ସ୍ଥାପନ କରିବାକୁ ରାଜି ହୋଇଛନ୍ତି ।

ଚୀନ ମଧ୍ୟସ୍ଥତାରେ ଉଭୟ ପକ୍ଷ ପରସ୍ପରର ଦେଶରେ ଦୂତାବାସ ଖୋଲିବାକୁ ରାଜି ହୋଇଛନ୍ତି। ଏହି ଘଟଣା କେବଳ ମଧ୍ୟପୂର୍ବ ନୁହେଁ, ସମଗ୍ର ବିଶ୍ବର ରାଜନୀତି ଓ କୂଟନୀତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଚୀନ ମଧ୍ୟସ୍ଥତାରେ ଏହି ରାଜିନାମା ହୋଇଥିବାରୁ ବିଶ୍ବ ରାଜନୀତିରେ ଚୀନର ଗୁରୁତ୍ବ ଆହୁରି ବଢିବା ନିଶ୍ଚିତ ହୋଇଯାଇଛି ।

ଅନ୍ୟପକ୍ଷରେ ଏ ଅଂଚଳରେ ସୁପର ପାଓ୍ବାର ଆମେରିକାର ପ୍ରଭାବକୁ ଏହା କ୍ଷୁର୍ଣ୍ଣ କରିବ । ସାଉଦି ଆରବ ଓ ଇରାନ ମଧ୍ୟରେ ଶତ୍ରୁତା ବେଶ ପୁରୁଣା । ସାଉଦି ଏକ ସୁନ୍ନି ବହୁଳ ଦେଶ ହୋଇଥିବାରୁ ଇରାନ ଏକ ସିହା ବହୁଳ ଦେଶ । ମଧ୍ୟପୂର୍ବରେ ଆଧିପତ୍ୟ ପାଇଁ ଉଭୟ ଦେଶ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିଆସୁଛନ୍ତି । ଏହି ଦୁଇ ଦେଶର ପ୍ରାୟୋଜନରେ ହିଁ କେତେକ ଆରବ ଦେଶରେ ସଂଘର୍ଷ ଜାରି ରହିଛି ।

ଏହି ଦୁଇ ଦେଶ ମଧ୍ୟରେ ସଂପର୍କ ପ୍ରତିଷ୍ଠା ହେବା ପରେ ମଧ୍ୟପୂର୍ବରେ ଶାନ୍ତି ପ୍ରତିଷ୍ଠା ନେଇ ଆଶା ସଂଚାର ହୋଇଛି । ଏପଟେ ଚୀନର ହସ୍ତକ୍ଷେପ ଯୋଗୁ ଆମେରିକା ଓ ଇସ୍ରାଏଲ ଖପ୍ପା ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।