ଲେଡି ଅଫିସରଙ୍କ କବଜାରେ ଗ୍ୟାଙ୍ଗଷ୍ଟର ମୁଖତାରଙ୍କ ବୋହୂ, ଜେଲରୁ ଧରିଲେ

ଚିତ୍ରକୁଟ: ଲେଡି ଏସପିଙ୍କ ଆକ୍ସନ । ନାଁ ବୃନ୍ଦା ଶୁକ୍ଲା । ମାତ୍ର କିଛି ଘଣ୍ଟାରେ ଇଣ୍ଟରନେଟରେ ଛାଇ ଯାଇଛନ୍ତି ଭାରତର ଏହି ଲେଡି ଏସପି । ବାହୁବଳି ମାଫିଆ ଡନ୍ ତଥା ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କ ଉପରେ ଆକ୍ସନ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଉତ୍ତର ପ୍ରଦେଶ ଚିତ୍ରକୁଟ ଜିଲ୍ଲାର ଏହି ଆଇପିଏସ ଅଫିସର ବୃନ୍ଦା । ଜେଲରେ ଥିବା ମୁଖତାରଙ୍କ ବିଧାୟକ ପୁଅ ଆବାସଙ୍କ ପତ୍ନୀ ନିକହତ ବେନୋଙ୍କ କରିଛନ୍ତି ଗିରଫ । ନିକହତ ନିୟମ ଉଲ୍ଲଂଘନ କରି ଜେଲକୁ ଯାଇ ଜେଲରଙ୍କ ରୁମରେ ଅଭିଯୁକ୍ତ ସ୍ବାମୀଙ୍କୁ କରୁଥିଲେ ଭେଟ ।

ସୂଚନା ଅନୁସାରେ, ବୃନ୍ଦା, ଚିତ୍ରକୁଟ ଜିଲ୍ଲାପାଳ ଅଭିଶେଷ ଆନନ୍ଦଙ୍କ ସହ ହଠାତ ଜେଲରେ ପହଞ୍ଚି ଯାଇଥିଲେ । ଚଢ଼ାଉ ବେଳେ ବୃନ୍ଦା ଖାକି ପୋଷାକ ନ ପିନ୍ଧି ସାଧାରଣ ଡ୍ରେସଅପରେ ଯାଇଥିଲେ । କାହାକୁ ଯେମିତି କିଛି ବି ସୂଚନା ମିଳିବନି ସେଥିପାଇଁ ପୋଲିସ ଗାଡ଼ି ବଦଳରେ ଘରୋଇ ଗାଡ଼ିରେ ଜେଲରେ ପହଞ୍ଚି ଥିଲେ । ସେଠାରେ ସେ ମାଫିଆ ଡନ୍ ମୁଖତାରଙ୍କ ବୋହୂକୁ ଗିରଫ କରିଥିଲେ ।

ବୃନ୍ଦା କହିଛନ୍ତି, ‘ଜେଲରେ କିଛିଦିନ ହେବ ବେଆଇନ କାର୍ଯ୍ୟ ଚାଲିଥିଲା । ବାହାରର ଲୋକେ ଜେଲରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କୁ ବେଆଇନ ଭାବେ ଭେଟିବାକୁ ଯାଉଥିଲେ । ଏହି ସୂଚନା ମିଳିବା ପରେ କଲେକ୍ଟରଙ୍କ ସହ ହଠାତ ଜେଲରେ ଚଢ଼ାଉ କରିଥିଲି । ଚଢ଼ାଉ ବେଳେ ଆବାସ ଅନସାରୀ ନିଜ କୋଠରୀରେ ନଥିବା ଦେଖିବାକୁ ମିଳିଥିଲା । ଜେଲ କର୍ମଚାରୀଙ୍କୁ ପଚରାଉଚରା ପରେ ଜଣାପଡ଼ିଥିଲା, ଜଲର ଏକ ରୁମରେ ସେ ପତ୍ନୀ ସହ ଦେଖା କରିଥାନ୍ତି । ଅବେସୀଙ୍କୁ ତାଙ୍କ ପତ୍ନୀ ଭେଟିବାକୁ ଜେଲ ରେଜିଷ୍ଟ୍ରରରେ ଉଲ୍ଲେଖ କରାଯାଇନଥାଏ ।’

ଆଗକୁ ସେ କହିଛନ୍ତି, ‘ଜେଲ କର୍ମଚାରୀଙ୍କ ପାଖରୁ ସୂଚନା ପାଇବା ପରେ ଉକ୍ତ ରୁମରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଆବାସଙ୍କ ପତ୍ନୀ ନିକହତ ସେଠାରେ ଉପସ୍ଥିତ ଥିଲେ । ତାଙ୍କ ପାଖରୁ ଏକ ମୋବାଇଲ ଜବତ କରାଯାଇଛି । ଯାହା ଜେଲ ନିୟମର ବିରୋଧାଚରଣ କରୁଛି । ଏହାକୁ ଆଧାର କରି ଗୃହ ଓ କାରାଗାର ବିଭାଗକୁ ଏକ ରିପୋର୍ଟ ପଠାଇ ଥିଲୁ । ଏବେ ଏହି ମାମଲାରେ ସ୍ବତନ୍ତ୍ର ଯାଞ୍ଚ କରାଯାଉଛି । ଏହାସହ ଅବାସୀଙ୍କୁ ଭେଟିବାକୁ ଆସୁଥିବା ସମସ୍ତ ବ୍ୟକ୍ତି ଓ ଜେଲ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।’

ସୂଚନାଯୋଗ୍ୟ, ଚିତ୍ରକୁଟରେ ପ୍ରଥମ କରି ଏସପି ଭାବେ ବୃନ୍ଦା ନିଯୁକ୍ତି ପାଇଛନ୍ତି । କେବଳ ଏସପି ଭାବେ ନୁହେଁ, ଚାକିରି ବାଦ ସେ ମହିଳା, ପିଲା, ପୀଡ଼ିତ ଓ ଶୋଷିତଙ୍କୁ ନ୍ୟାୟ ଦେବା କାମରେ ବି ସକ୍ରିୟ ରହିଥାନ୍ତି । କରେଣ୍ଟ ଇସ୍ୟୁକୁ ନେଇ ତାଙ୍କ ଲେଖା ଖବରକାଗଜ ଓ ଡିଜିଟାଲ ମିଡିଆରେ ନିୟମିତ ପ୍ରକାଶିତ ହୋଇଥାଏ ।