କେକେଆର ବିପକ୍ଷ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୬ ଓ୍ୱିକେଟ୍ରେ ବିଜୟୀ

ମୁମ୍ୱାଇ: କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ୬ ଓ୍ୱିକେଟ୍ରେ ବିଜୟୀ ହୋଇଛି ରାଜସ୍ଥାନ ରାୟଲ୍ସ । ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୧୩୩ ରନ୍ ସଂଗ୍ରହ କରିପାରିଥିଲା । ଜବାବରେ ୧୮.୫ ଓଭରରେ ଏହି ୧୩୪ ରନର ବିଜୟ ଲକ୍ଷ୍ୟ ହାସଲ କରିପାରିଛି ରାଜସ୍ଥାନ । ଦଳ ପକ୍ଷରୁ ସଞ୍ଜୁ ସାମସନ୍ ଅପରାଜିତ ୪୨ ରନ୍ କରିଥିବା ବେଳେ ଡେଭିଡ୍ ମିଲର ଅପରାଜିତ ୨୪ ରନ୍ କରିଥିଲେ । ୧୩୪ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ରାଜସ୍ଥାନର ଆରମ୍ଭ ଭଲ ହୋଇନଥିଲେ ମଧ୍ୟ ସଞ୍ଜୁ ସାମସନଙ୍କ ଧୈର୍ଯ୍ୟ ପୂର୍ଣ୍ଣ ବ୍ୟାଟିଂ ଫଳରେ ଦଳ ଏହି ଲକ୍ଷକୁ ହାସଲ କରିବାରେ ସଫଳ ହୋଇଛି । ୟଶସ୍ୱୀ ଯୟଶଓ୍ୱାଲ ଓ ଶୁଭମ୍ ଦୁବେ ଉଭୟେ ୨୨ ଲେଖାଏଁ ରନ୍ ମଧ୍ୟ ଦଳର ବିଜୟ ପାଇଁ ସହାୟକ ହୋଇଛି । ତେବେ ଆଜିର ମ୍ୟାଚିରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ କ୍ରିସ୍ ମୋରିସ୍ । ସେ ୪ ଓଭରରେ ମାତ୍ର ୧୮ ରନ୍ ଦେଇ ୪ ଓ୍ୱିକେଟ୍ ହାସଲ କରିଥିଲେ । ଯାହା ଫଳରେ ବିପକ୍ଷ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଏବଂ ଦଳ ଭଲ ଟାର୍ଗେଟ ଦେବାରେ ବିଫଳ ହୋଇଥିଲା ।
ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ରୟାଲ୍ସ କ୍ୟାପଟେନ୍ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆର ଦୁଇ ଓପ୍ନର ନୀତୀଶ ରାଣା ଓ ଶୁବମନ୍ ଗିଲ୍ ଧିମା ଆରମ୍ଭ କରିଥିଲେ। ଗିଲ୍ ପୁଣିଥରେ ନିରାଶ କରିଥିଲେ ଏବଂ ୧୧ ରନ୍ କରି ରନଆଉଟ୍ ହୋଇଥିଲେ। ନୀତୀଶ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତୃତୀୟ ସ୍ଥାନରେ ଆସିଥିବା ରାହୁଲ୍ ତ୍ରିପାଠୀ ଭଲ ବ୍ୟାଟିଂ କରିଥିବା ବେଳେ ସୁନୀଲ୍ ନରିନ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ନିରାଶ କରିଥିଲେ। ନରିନ୍ ୬ ରନ୍ କରି କମବ୍ୟାକ୍ ମ୍ୟାନ୍ ଜୟଦେବ ଉନାଦକଟଙ୍କ ଶିକାର ହୋଇଥିଲେ। ମୋର୍ଗାନ୍ କ୍ରିଜକୁ ଆସୁ ଆସୁ ରନଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ତ୍ରିପାଠୀ ଓ ଦିନେଶ କାର୍ତ୍ତିକ ଟିମକୁ ଭଲ ସ୍ଥିତିକୁ ଆଣିଥିଲେ। କିନ୍ତୁ ତ୍ରିପାଠୀଙ୍କ ୱିକେଟ୍ ପତନ ପରେ ଦଳ ପୁଣିଥରେ ବ୍ୟାକଫୁଟକୁ ଚାଲିଆସିଥିଲା।
ତ୍ରିପାଠୀଙ୍କୁ ମୁସ୍ତାଫିଜୁର ରେହମାନ୍ ଆଉଟ୍ କରିଥିଲେ। ରାଜସ୍ଥାନ ରୟାଲ୍ସର ମୋରିସ୍ ଗୋଟିଏ ଓଭରରେ ଆନ୍ଦ୍ରେ ରସେଲ୍ (୯) ଓ କାର୍ତ୍ତିକଙ୍କ ୱିକେଟ୍ ନେଇ କେକେଆର୍ ସମ୍ମାନଜନକ ସ୍କୋର ଆଶା କ୍ଷୀଣ କରିଦେଇଥିଲେ। ଲୋୟର ଅର୍ଡରରେ ପ୍ୟାଟ୍ କମିନ୍ସ ୧୦, ଶିବମ୍ ମାଭି ୫ ରନ୍ କରି ଆଉଟ୍ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ଉନାଦକଟ୍, ଚେତନ ସାକାରିୟା ଓ ମୁସ୍ତାଫିଜୁର ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।