ଚଳିତ ସିଜିନ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ-ଦିଲ୍ଲୀ

ମୁମ୍ୱାଇ: ଶନିବାର ଖେଳାଯିବାକୁ ଥିବ ଚଳିତ ଆଇପିଏଲ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ  ଓ ଚେନ୍ନାଇ ସୁପର କିଙ୍ଗ୍ସ ।ଏହି ମ୍ୟାଚକୁ ନୂଆ ଓ ଅଭିଜ୍ଞ ଅଧିନାୟକଙ୍କ ଲଢ଼େଇ ଭାବେ ବିବେଚନା କରାଯାଇପାରିବ । ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ଥଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିବା ବେଳେ ତାଙ୍କ ସାମ୍ନାରେ ରହିବେ ସବୁଠୁ ଅଭିଜ୍ଞ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ।  ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି । ଗତ ବର୍ଷ ଏହି ଦୁଇ ଦଳ ଭିନ୍ନ ଭିନ୍ନ ପଥରେ ରହିଥିଲେ । ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ ଖେଳିଥିବା ବେଳେ ଚେନ୍ନାଇ ନିରାଶଜନକ ପ୍ରଦର୍ଶନ କରି ନିଜ ଇତିହାସରେ ପ୍ରଥମ ଥର ପ୍ଳେ ଅଫ୍ ନଖେଳିପାରି ଫେରିଥିଲେ । ଦିଲ୍ଲୀ ଏଥର ନିଜ ଅଧୁରା ସ୍ୱପ୍ନକୁ ସାକାର କରିବା ଲାଗି ଠିକଣା ପଥରେ ରହିବାକୁ ଚେଷ୍ଟା କରିବ । ୩ ଥର ବିଜେତା ଚେନ୍ନାଇ ଗତ ସିଜିନ୍‌ରେ ସପ୍ତମ ସ୍ଥାନକୁ ଭୁଲି ଭଲ ଆରମ୍ଭ ଆଶାରେ ରହିଛି । ମାହି ଭାଇଙ୍କ ବିପକ୍ଷ ପ୍ରଥମ ମ୍ୟାଚ୍‌ ମୋ ପାଇଁ ଭଲ ଅଭିଜ୍ଞତା ଦେବ ବୋଲି କିଛି ଦିନ ତଳେ ପନ୍ଥ ପ୍ରକାଶ କରିଥିଲେ ତାଙ୍କଠାରୁ ମୁଁ ଅନେକ କିଛି ଶିଖିଛି । ମୁଁ ,ବେ ମୋ ନିଜ ଅଭିଜ୍ଞତାକୁ ଉପଯୋଗ କରିବି ଏବଂ ତାଙ୍କଠାରୁ ଶିଖଇବା ଜାରି ରଖିବି ବୋଲି ପନ୍ଥ ମଧ୍ୟ ପ୍ରକାଶ କରିଥିଲେ । ଶିଖର ଧାଓ୍ୱନ, ପୃଥ୍ୱୀ ସ’ ଅଜିଙ୍କ୍ୟ ରାହାଣେ, ଷ୍ଟିଭେନ୍ ସ୍ମିଥ୍ ଏବଂ ପନ୍ଥଙ୍କୁ ନେଇ ଦିଲ୍ଲୀରେ ବ୍ୟାଟିଂକ୍ରମ ଭଲ ରହିଥିବାରୁ ପ୍ରଥମ ମ୍ୟାଚରୁ ଏହି ଦଳ ପ୍ରଭାବ ବିସ୍ତାର କରିବ ବୋଲି ଆଶା ରଖିଛି । ଧାଓ୍ୱନ ଗତ ବର୍ଷର ଦ୍ୱିତୀୟ ଅଗ୍ରଣୀ ସ୍କୋରର ଥିଲେ (୬୧୮ରନ୍) ଇଂଲଣ୍ଡ ବିପକ୍ଷ ସଦ୍ୟ ସମାପ୍ତ ଦିନିକିଆ ଶୃଙ୍ଖଳାରେ ମଧ୍ୟ ଚମତ୍କାର ଫର୍ମରେ ରହିଥିଲେ । ସେହିଭଳି ବିଜୟ ହଜାରେ ଟ୍ରଫିରେ ୮୨୭ ରନ୍‌ ସଂଗ୍ରହ କରି ଆସିଥିବା ପୃଥ୍ୱି ସ’ ମଧ୍ୟ ତାଙ୍କ ପ୍ରାରମ୍ଭିକ ପାର୍ଟନର ହେବା ନିଶ୍ଚିତ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଚମତ୍କାର ଫର୍ମ ଦେଖାଇଥିବା ଋଷଭ ପନ୍ଥ ମଧ୍ୟ ଏହାକୁ ଜାରି ରଖିବେ ବୋଲି ପ୍ରଶିକ୍ଷକ ରିକି ପଣ୍ଟିଂ ଆଶାବାଦୀ ଅଛନ୍ତି । ଅଲରାଉଣ୍ଡରମାର୍କସ ଷ୍ଟାଇନିସଙ୍କ ସହ ସିମ୍ରନ ହେଟମାୟର, ସାମ୍ ବଲିଙ୍ଗ୍ସ ବିଦେଶୀ ଖେଳାଳିଙ୍କ ମଧ୍ୟ ସାମିଲ ଥିବାରୁ ସମନ୍ୱୟ ରଖିବାରେ ଏମାନେ ବଡ଼ ଭୂମିକା ତୁଲାଇବେ ।

ଏଥିସହିତ ପଢ଼ନ୍ତୁ: ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨ ୱିକେଟରେ ହରାଇଲା ବେଙ୍ଗଳୁରୁ

Leave a Reply