ଆଇପିଏଲରେ ବିକ୍ରି ହେଲେ ସଚିନ,ଶାହରୁଖ ଓ ମହମ୍ମଦ ଆଜାରୁଦ୍ଦିନ୍

ଚେନ୍ନାଇ : ଚେନ୍ନାଇରେ ଆଇପିଏଲର ୧୪ତମ ସଂସ୍କରଣ ପାଇଁ ଚାଲିଛି ନିଲାମି । ୬୧ ସ୍ଥାନ ପୁରଣ ପାଇଁ ନିଲାମି ହେଉଛି । ୧୪ କୋଟି,୧୫ କୋଟିରୁ ଆରମ୍ଭ କରି ୧୬ କୋଟିରେ ଖେଳାଳୀଙ୍କୁ ନିଲାମରେ କିଣୁଛନ୍ତି ଫ୍ରାଞ୍ଚାଇଜ୍ । କ୍ରିସ୍ ମୋରିସଙ୍କୁ ୧୬.୨୫ କୋଟିରେ କିଣିଛି ରାଜସ୍ଥାନ ରୟାଲ୍ସ । ଏହା ସହିତ କ୍ରିସ୍ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳୀ ଭାବେ ଇତିହାସ ରଚିଛନ୍ତି । କିନ୍ତୁ ଏହାରି ଭିତରେ ନିଲାମରେ ସଚିନ୍,ଶାହାରୁଖ ଓ ମହମ୍ମଦ ଆଜାରୁଦ୍ଦିନଙ୍କ ନାମ ମଧ୍ୟ ଉଠିଛି ।
ତାମିଲନାଡୁର ଅଲରାଉଣ୍ଡର ଶାହାରୁଖ ଖାନଙ୍କର ମଧ୍ୟ ନିଲାମୀ ହୋଇଥିଲା । ତାଙ୍କର ବେସ୍ ପ୍ରାଇସ୍ ୨୦ ଲକ୍ଷ ଥିଲା । ପଂଜାବ କିଙ୍ଗ୍ସ ତାଙ୍କୁ ୫ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ୨୫ ବର୍ଷୀୟ ଶାହାରୁଖ ଚଳିତ ବର୍ଷ ମୁସ୍ତାକ ଅଲ୍ଲି ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ସେ ୪ ଟି ମ୍ୟାଚରେ ୨୨୦ ଷ୍ଟ୍ରାଇକ୍ ରେଟ୍ ସହ ରନ୍ କରିଥିଲେ । ଯାହାର ପୁରସ୍କାର ତାଙ୍କୁ ନିଲାମରେ ମିଳିଛି ।

ସେହିଭଳି କେରଳ ଓପନର ମହମ୍ମଦ ଆଜାରୁଦ୍ଦିନଙ୍କୁ ରାଜସ୍ଥାନ ରୟାଲ୍ସ ୨୦ ଲକ୍ଷ ଟଙ୍କାରେ କିଣିଛି । ଚଳିତ ବର୍ଷ ମୁସ୍ତାକ ଅଲ୍ଲି ଟୁର୍ଣ୍ଣାମେଣ୍ଟରେ ସେ ୩୭ ବଲରେ ଶତକ ମାରି ଚର୍ଚ୍ଚାକୁ ଆସିଥିଲେ । ୧୩୭ ରନର ଇନିଂସରେ ସେ ୯ ଚୌକା ଓ ୧୧ ଛକା ଲଗାଇଥିଲେ । ୧୯୪ ଷ୍ଟ୍ରାଇକ୍ ରେଟ୍ ସହିତ ସେ ପୁରା ଟୁର୍ଣ୍ଣାମେଣ୍ଟରେ ୨୧୪ ରନ୍ କରିଥିଲେ ।
ସେହିଭଳି କେରଳର ସଚିନ ବେବିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଲକ୍ଷ ଟଙ୍କାରେ କିଣିଛି । ନିଲାମ କାଳରେ ସଚୀନ ତେନ୍ଦୁଲକରଙ୍କ ଫ୍ୟାନ୍ ସଚିନ ବେବି ନାମ ପଢି ଭାବୁଥିଲେ ଯେ, ସେ ସଚିନଙ୍କ ପୁଅ ଅର୍ଜୁନ ବୋଲି । କିନ୍ତୁ ସତ ହେଉଛି ସଚିନ୍ ବେବି କେରଳର କ୍ରିକେଟିୟର ।

ତେବେ ଏପର୍ଯ୍ୟନ୍ତ ଭେଟେରାନ୍ ହରଭଜନ ସିଂହ ଓ ଅଷ୍ଟ୍ରେଲିଆରେ ଯାଦୁ ଦେଖାଇଥିବା ହନୁମା ବିହାରୀଙ୍କୁ କେହି କିଣି ନାହାନ୍ତି । ତେବେ ଆଶା କରାଯାଉଛି ଯେ, ନିଲାମୀ ସରିବା ବେଳକୁ କେହି ସେମାନଙ୍କୁ କିଣି ପାରନ୍ତି ।

Leave a Reply