IPL 2024 କାର୍ଯ୍ୟସୂଚୀ: ପ୍ରଥମ ଦିନରେ ମୁହାଁମୁହିଁ ହେବେ CSK vs RCB

1 min read

ନୂଆଦିଲ୍ଲୀ: ଆଇପିଏଲ ୨୦୨୪କୁ କ୍ରିଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଆରମ୍ଭ ହେଲାଣି। IPLର ୧୭ତମ ସଂସ୍କରଣ ପାଇଁ ଗୁରୁବାର ଦିନ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମାତ୍ର ୨୧ ଦିନର ମ୍ୟାଚ ପାଇଁ ତଥ୍ୟ ପ୍ରକାଶ ପାଇଛି। ତେବେ ମାର୍ଚ୍ଚ ୨୨ରେ ଏମ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଖେଳାଯିବ।

ତେବେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଫାଫ ଡୁ ପ୍ଲେସିସଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ।

IPL 2024 ପ୍ରଥମ ମ୍ୟାଚ୍ କାହା ମଧ୍ୟରେ ଖେଳାଯିବ?

ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମାର୍ଚ୍ଚ ୨୨ରେ ଚେନ୍ନାଇରେ ଖେଳାଯିବ।ତେବେ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମେ ମାତ୍ର ୨୧ ଦିନ ପାଇଁ ମ୍ୟାଚ୍ କାର୍ଯ୍ୟସୂଚୀ ପ୍ରକାଶ କରିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ବାକି ମ୍ୟାଚ୍‌ ଗୁଡ଼ିକର ସ୍ଥାନ ଓ ତାରିଖ ଜାରି କରାଯିବ ବୋଲି ଆଇପିଏଲର ଅଧ୍ୟକ୍ଷ ଅରୁଣ ଧୂମାଲ କହିଛନ୍ତି।

ଏହି ୨୧ଟି ମ୍ୟାଚ୍ ଦୁଇ ସପ୍ତାହ ମଧ୍ୟରେ ହେବ ଏବଂ ପ୍ରାୟ ୧୦ଟି ସହରରେ ଏହି ୨୧ ମ୍ୟାଚ୍ ଖେଳାଯିବ। ଖାସ୍ କଥା ହେଉଛି ଦିଲ୍ଲୀ  କ୍ୟାପିଟାଲ୍ ନିଜର ପ୍ରାରମ୍ଭିକ ଘରୋଇ ମ୍ୟାଚ୍ ଭାଇଜାଗରେ ଖେଳିବ। ପ୍ରାରମ୍ଭିକ ମ୍ୟାଚ୍ ରାତି ୮ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ବାକି ମ୍ୟାଚ୍ ଅପରାହ୍ନ ୩ଟା ୩୦ମି. ଏବଂ ରାତି ୭.୩୦ ରେ ଆରମ୍ଭ ହେବ |

ଆଇପିଏଲ୍ ୨୦୨୪ ମଧ୍ୟ ଆଇପିଏଲ୍ ୨୦୨୩ ସିଜନ୍ ପରି ହେବ ଏବଂ ଏଥିରେ ୭୪ ଟି ମ୍ୟାଚ୍ ଖେଳାଯିବ । କିନ୍ତୁ ଗତ ବର୍ଷ ୬୦ ଦିନ ବଦଳରେ ଏଥର ମ୍ୟାଚ୍ ୬୭ ଦିନ ପାଇଁ ଖେଳାଯିବ । ସାଧାରଣ ନିର୍ବାଚନ ଯୋଗୁଁ ଆଇପିଏଲ୍ କାର୍ଯ୍ୟସୂଚୀକୁ ଏକ ସପ୍ତାହ ବୃଦ୍ଧି କରାଯାଇଛି। ୨୦୧୯ ରେ ଯେତେବେଳେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା । ଖାଲି ଏତିକି ନୁହେଁ ସେତେବେଳେ ମଧ୍ୟ ଆଇପିଏଲ୍ କାର୍ଯ୍ୟସୂଚୀ ଦୁଇଟି ଭାଗରେ ହୋଇଥିଲା। ମେ ୨୬ରେ ଆଇପିଏଲ୍ ଫାଇନାଲ୍ ଖେଳାଯିବାର ସମ୍ଭାବନା ଅଛି।